Baragarh : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆଶ୍ରମରେ ରହୁଥିବା ଅନାଥ ଶିଶୁଙ୍କ ନାଁ ଆସୁଥିବା ସରକାରୀ ଓ ବେସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି ଦାୟିତ୍ବରେ ଥିବା ଅଧିକ୍ଷକ, କିରାଣୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ବୋରୋଧରେ । ଆଶ୍ରମ ପରିଚାଳନା ପାଇଁ ସରକାରୀ ନିୟମକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରି ଲୁକ୍କାୟିତ ଭାବେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିବା ବେଳେ ଅନାଥ ଶିଶୁଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସହ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ପାର୍ବୀତି ଗିରି ସ୍ମୃତି କମିଟି ଅଭିଯୋଗ କରିଛି । ଗଣମାଧ୍ୟମ ର ତନାଘନା ଓ କିଛି ସଚେତନ ନାଗରିକ ଙ୍କର ଉଦ୍ୟମ କ୍ରମେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ 6 ଜଣିଆ ଟିମ ଖୋଲତାଡ଼ ଆରମ୍ଭ କରିଛନ୍ତି । ବିଶିଷ୍ଟ ସମାଜସେବୀ ତଥା ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ 1974/75 ମସିହାରେ ବରଗଡ଼ ଜିଲ୍ଲା ପାଇକମାଲଠାରେ ଅନାଥ ଶିଶୁଙ୍କୁ ସେବା, ଶୁଶ୍ରୁଷା ସହ ଭରଣ ପୋଷଣ ପାଇଁ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପ୍ରତିଷ୍ଠା କରାଯାଇଛି । ଏହି ଆଶ୍ରମରେ 6 ରୁ 20 ବର୍ଷ ବୟସର 36ଜଣ ଶିଶୁ, ବାଳକ ଓ 79 ଜଣ ବାଳିକା ଓ ଯୁବତୀଙ୍କୁ ଥଇଥାନ କରାଯାଇଛି । ସରକାରଙ୍କ ପକ୍ଷରୁ 105ଜଣ ଅନ୍ତେବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଖାଇବା ପାଇଁ ପ୍ରତିମାସରେ 2 ଲକ୍ଷ 26ହଜାର 800ଟଙ୍କା ଅନୁଦାନ ମିଳୁଛି । ଏହାବାଦ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅନାଥ ଶିଶୁଙ୍କ ବିକାଶ ପାଇଁ ଏହି ଆଶ୍ରମକୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ସରକାରୀ ଓ ବେସରକାରୀ ଅନୁଦାନରେ ମିଳୁଥିବା ସହାୟତା ରାଶିକୁ ଆଶ୍ରମ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ବଦଳରେ ଓଲଟା ଆଶ୍ରମ ଅଧୀକ୍ଷକ ଓ କାର୍ଯ୍ୟରତ କର୍ମଚାରୀ ନିଜ ବ୍ୟକ୍ତିଗତ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ପରେ ସେହି ଟଙ୍କାକୁ ବ୍ୟାଙ୍କରୁ ଉଠାଣ କରି ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି । ଦୁର୍ନୀତି ଘଟଣାକୁ ନେଇ ହସ୍ତଗତ ହୋଇଛି ବ୍ୟାଙ୍କରେ ହୋଇଥିବା ଟଙ୍କା କାରକାର କେତେକ ଜରୁରୀ କାଗଜ ପତ୍ର । ଏହାକୁ ଅନୁଧ୍ୟାନ କଲେ ଅନାଥାଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି । ଏଭଳି ଦୁର୍ନୀତି ଘଟଣା ସୋସିଆଲ ମିଡିଆରେ ଘୁରି ବୁଳିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବରଗଡ଼ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ନୀତି ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ଆଶ୍ରମ ଅଫିସରେ ତାଲା ପକାଇ ଫେରାର ହୋଇଯାଇଛନ୍ତି କସ୍ତୁରବା ଗାନ୍ଧୀ ମାତୃ ନିକେତନର ଅଧିକ୍ଷକ । ଏପରିକି ଗଣମାଧ୍ୟମ ଓ କ୍ୟାମେରା ସାମ୍ନାକୁ ଆସିବା ପାଇଁ କରୁଛନ୍ତି ଭୟ । ଖାଲି ଏତିକି ନୁହେଁ । ଦୁର୍ନୀତିକୁ ଲୁଚାଇବାକୁ ଯାଇ ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ଲୁକ୍କାୟିତ ଭାବେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିବା ପାଇକମାଲ ପାର୍ବତି ଗିରି ସ୍ମୃତି କମିଟି ଅଭିଯୋଗ କରିଥିବା ବେଳେ କମିଟି ପକ୍ଷରୁ ଜିଲ୍ଳାପାଳ ଓ ପଦ୍ମପୁର ବିଧାୟକଙ୍କୁ ଲିଖିତ ଭାବେ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ସେପଟେ ବରଗଡ଼ ଜିଲ୍ଲାପାଳ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ପରେ ପ୍ରଶାସନ ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ତନ୍ମୟ ଦରଓ୍ବାନଙ୍କ ନେତୃତ୍ବରେ 6 ଜଣିଆ ଟିମ ଚଢ଼ାଉ କରି ଆଶ୍ରମ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିବା ବେଳେ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଦୁର୍ନୀତି ଘଟଣାର ରିପୋର୍ଟ ପ୍ରଦାନ କରି ବୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି । ସେହିପରି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଦୁର୍ନୀତି ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଏଠି ଏକ ବିରାଟ ପ୍ରଶ୍ନ ଯେ ବହୁ ବର୍ଷ ଧରି ଚାଲିଥିବା ଏହି ଦୁର୍ନୀତି ବାବଦରେ ଏହି ଆଶ୍ରମ ପ୍ରତି ଉତ୍ତରଦାୟୀ ସରକାରୀ ବିଭାଗ ଓ ଏହାର ବାବୁ ମାନେ କେମିତି କିଛି ଜାଣି ପାରିଲେ ନାହିଁ ନା ସବୁ ଜାଣିକି ମୌନ ବ୍ରତ ଧାରଣ କରିଛନ୍ତି ?
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଆଶ୍ରମକୁ ଆସିଥିବା ଓ ବ୍ୟୟ ହେଇଥିବା ଅର୍ଥର ଠିକ ଠାକ ହିସାବ ନାହିଁ କିମ୍ବା ବିଗତ ବହୁବର୍ଷ ହେଇଗଲା ବିଭାଗୀୟ ଅଡ଼ିଟ ବି ହେଇନାହିଁ ବୋଲି ଅଭିଯୋଗ ହୋଇଛି । ଏଣୁ ତଦନ୍ତ ପରିସରକୁ ବ୍ୟାପକ କରାଯାଇ ଦୋଷୀ ମାନଙ୍କର ବିରୋଧରେ ଦୃଢ଼ କାର୍ଯନୁଷ୍ଠାନ ପାଇଁ ସ୍ଥାନୀୟ ଜନତା ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post