ଓଡିଶାର ଐତିହ୍ୟ ସମ୍ପନ୍ନ କିର୍ତୀରାଜି ତଥା ପର୍ଯ୍ୟଟନ କ୍ଷେତ୍ର ପ୍ରତି କେନ୍ଦ୍ର ମୋଦି ସରକାରଙ୍କ ଅବିଚାର ଦୁର୍ଭାଗ୍ୟଜନକ – ସତ୍ୟ ପ୍ରକାଶ

0

ଭୁବନେଶ୍ୱର (ଶାସକ ପ୍ରଶାସକ)– କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର’ ତାଲିକାରେ ଓଡିଶାର ନାମକୁ ବିଚାରକୁ ନ ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଛି କଂଗ୍ରେସ । ଆଜି ଏକ ପ୍ରେସ୍ ଇସ୍ତାହାରରେ ଓଡିଶା ପ୍ରତି ଏଭଳି ଅବିଚାରକୁ ନେଇ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ । ଏ ନେଇ ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ୍ – ୨୦୧୯ ରେ ସାରା ଦେଶର ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ କ୍ଷେତ୍ରକୁ ‘ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର’ ଭାବରେ ସାମିଲ କରାଯାଇଥିଲେ ମଧ୍ୟ ଓଡିଶାର କୌଣସି ପର୍ଯ୍ୟଟନ କ୍ଷେତ୍ର ଏଥିରେ ସାମିଲ ନହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଉଲ୍ଲେଖ କରିଛନ୍ତି ।
    ସାରା ଭାରତବର୍ଷର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଗୁଜୁରାଟ, ଗୋଆ ଓ ମହାରାଷ୍ଟ୍ର ପ୍ରଭୃତି ଏଭଳି ଯୋଜନାରୁ ଲାଭବାନ ହେବାକୁ ଯାଉଥିବା ବେଳେ ଓଡିଶାକୁ ଏଭଳି ଯୋଜନାରୁ ବାଦ ଦିଆଯିବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଭାରତବର୍ଷର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯଥା ତାଜମହଲ, ଫତେପୁର ସିକି୍ର, ଲାଲକିଲ୍ଲା, ଅଜନ୍ତା ଓ ଏଲୋରା, ହାମ୍ପି ଇତ୍ୟାଦି ଏଭଳି ଯୋଜନାରେ ଲାଭବାନ ହେବାକୁ ଥିବାବେଳେ ଓଡିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କକୁ ଏଥିରେ ସାମିଲ ନକରିବା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା କୋଣାର୍କ ମନ୍ଦିର ହେଉ ଅବା ୟୁନିସ୍କୋ ଦ୍ୱାରା ତାଲିକାଭୁକ୍ତ ଭିତରକନିକା ଅଭୟାରଣ୍ୟ ଏବଂ ଚିଲିକା ହ୍ରଦ ତଥା ଲଳିତଗିରି ଏବଂ ରତ୍ନଗିରିରର ବୌଦ୍ଧ କିର୍ତୀରାଜି ପ୍ରତି ଧ୍ୟାନ ନ ଦିଆଯିବା ଓଡିଶାର କେଉଁ ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
    ଓଡିଶା ପ୍ରତି କେନ୍ଦ୍ର ସଂସ୍କୃତି ବିଭାଗର ଏଭଳି ବୈମାତୃକ ମନୋଭାବକୁ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଘୋର ସମାଲୋଚନା କରିବା ସହିତ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସବୁକୁ ଏହି ଯୋଜନାରେ ତୁରନ୍ତ ଅର୍ନ୍ତଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ଓଡିଶାର ସ୍ୱାର୍ଥକୁ ନେଇ ପ୍ରସଙ୍ଗଭିତିକ ସମର୍ଥନର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେଡି ସରକାର ଗଣମାଧ୍ୟମରେ ବିବୃତି ରଖି ଚୁପ୍ ବସିଗଲେ ହେବ ନାହିଁ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଦୃଢ଼ ଦାବି ଉପସ୍ଥାପନ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେବା ସହିତ ଓଡିଶା ପ୍ରତି କ୍ରମାଗତ ଭାବରେ କରାଯାଉଥିବା ଅବହେଳା ଓ ଅବିଚାର ବିରୁଦ୍ଧରେ ଚେତାବନୀ ଦେଇଛି କଂଗ୍ରେସ ।

Leave A Reply

Your email address will not be published.