ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ବିଚ୍ଛିନ୍ନାଞ୍ଚଳ ସହ ସମ୍ପର୍କ ଦୃଢ଼ ନିମନ୍ତେ ପ୍ରୟାସ ।
ଭୁବନେଶ୍ୱର, (ଶାସକ ପ୍ରଶାସକ):ବିଗତବର୍ଷମାନଙ୍କ ଭଳି ଚଳିତବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିତରଣ ନିମନ୍ତେ ସଢେ଼ଇକଳା ଓ ଖରସୁଆଁ ବିଚ୍ଛିନ୍ନାଞ୍ଚଳକୁ ପଠାଯାଇଛି । ଆଜି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ନେଇ ଯାଉଥିବା ଏକ ଗାଡ଼ିକୁ ପତାକା ଦେଖାଇ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଯାତ୍ରାର ଶୁଭାରମ୍ଭ ନିମନ୍ତେ ଶୁଭ ସଂକେତ ଦେଇଥିଲେ ।
ଓଡ଼ିଶା ଭାଷା, ସଂସ୍କୃତି ଓବିଚ୍ଛିନ୍ନାଞ୍ଚଳରେବସବାସ କରୁଥିବା ଓଡ଼ିଆ ଭାଷାଭାଷି ଲୋକମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ପୁନଃଉଜ୍ଜିବୀତ କରିବା ଏବଂ ସରକାରଙ୍କର ବିଚ୍ଛିନ୍ନାଞ୍ଚଳ ଲୋକମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜାରି ରଖିବା ଏହି ଯାତ୍ରାର ମୂଳ ଲକ୍ଷ୍ୟ । ୧୦ ହଜାର ପୁସ୍ତକ ନେଇ ଯାତ୍ରା କରୁଥିବା ଏହି ଗାଡ଼ିଟି ବିଭିନ୍ନ ଜିଲ୍ଲାରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ବିତରଣ କରି ଆସନ୍ତା କାଲି ସଢେ଼ଇକଳା ଓ ଖରସୁଆଁରେ ପହଞ୍ଚିବ । ସଢେ଼ଇକଳା ଓ ଖରସୁଆଁରେବସବାସ କରୁଥିବା ଓଡ଼ିଆ ଭାଷାଭାଷି ଲୋକମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସଂସ୍କୃତି ସମ୍ପନ୍ନ ପୁସ୍ତକବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ଉତ୍ସବରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ ଡ.ଲେନିନ୍ ମହାନ୍ତିଙ୍କ ସମେତ ଏହିବିଭାଗର କର୍ମଚାରୀ ଉପସ୍ଥିତ ରହି ଯାତ୍ରାର ସଫଳତା କାମନା କରିଥିଲେ ।