ବାରଙ୍ଗ: ସାମାନ୍ୟ କିଛି ଟଙ୍କାକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ଘଟଣା। ଟଙ୍କା ଦେବାକୁ ମନା କରିବାରୁ ନିଜ ସ୍ତ୍ରୀଙ୍କୁ ଲୁହା ପ୍ଲାସରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦକ୍ଷିଣ ଉଷୁମା ପଞ୍ଚାୟତର ଭାଲିଆପଦା ଗ୍ରାମରେ ଘଟିଛି। ମୃତ ମହିଳା ହେଉଛନ୍ତି ଭାନୁପ୍ରିୟା ପାତ୍ର। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ବନମାଳି ପାତ୍ର ଓରଫ କାଣ୍ଡୁଆକୁ କଟକ ସଦର ଥାନା ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବନମାଳି ନିଜ ସ୍ତ୍ରୀ ଭାନୁପ୍ରିୟାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ଦେବାକୁ ସେ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବନମାଳି ପ୍ରଥମେ ଖଟ ଉପରେ ଭାନୁପ୍ରିୟାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଖଟ ତଳକୁ ଟାଣି ଆଣି ବିଦ୍ୟୁତ୍ ମରାମତି କାର୍ଯ୍ୟରେ ବ୍ୟବହୃତ ଲୁହା ପ୍ଲାସରେ ମୁଣ୍ଡକୁ ଏକାଧିକ ଥର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଭାନୁପ୍ରିୟାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବିଭିନ୍ନ କାରଣକୁ ନେଇ ବାରମ୍ବାର କଳହ ହେଉଥିଲା। ଅଭିଯୁକ୍ତ ବନମାଳି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବାବେଳେ ପୂର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ତାଙ୍କ ନାମ ଥିବା ଜଣାପଡ଼ିଛି। ସେହି ମାମଲାରେ ସେ କିଛି ବର୍ଷ ପୂର୍ବେ ଜାମିନରେ ଆସିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ କଟକ ସଦର ଥାନା ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବନମାଳିଙ୍କୁ ଗିରଫ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ମୃତଦେହ ଜବତ କରିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ କଟକ ସଦର ଥାନା ପୋଲିସ ହତ୍ୟାକାଣ୍ଡର କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି।