କେନାଲରେ ବୁଡ଼ି ମହିଳାଙ୍କ ମୃତ୍ୟୁ,ଶୋକରେ ମ୍ରିୟମାଣ ୪ଖଣ୍ଡ ଗ୍ରାମବାସୀ

9

ଓଡ଼ଗାଁ, ୨୭‌।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତର ଗୌଡ଼ପୁଟ ଗ୍ରାମର ନାରାୟଣ ନାୟକଙ୍କ ସ୍ତ୍ରୀ ଜମ୍ବୁ ନାୟକ (୬୫)ଙ୍କ କେନାଲ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସନ୍ଧ୍ୟାରେ ଖବର ପାଇ ଓଡ଼ଗାଁ ଦମକଳ ବାହିନୀ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ଆଣିଥିଲେ। ରାତି ହୋଇଥିବାରୁ ଶନିବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏନେଇ ଓଡ଼ଗାଁ ପୋଲିସ ଅଭିଯୋଗ ଆଧାରରେ ୨୩/୨୦୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଓ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଜମ୍ବୁ ନାୟକ ଗ୍ରାମରେ ଲୁଗାପଟା ସଫା କରିବା କାର୍ଯ୍ୟ କରୁଥିବା ବେଳେ ଗୋଠବଣ ଗ୍ରାମକୁ ଲୁଗା ସଂଗ୍ରହ କରିବା ନିମନ୍ତେ ଆସିଥିଲେ। ବୁଢ଼ାବୁଢ଼ୀଆଣିରୁ ବାହାରିଥିବା ମୁଖ୍ୟ କେନାଲର ଗୋଠବଣ ନିକଟରେ ଲୁଗା ସଫା କରିବାକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ତାଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖବର ପ୍ରଚାରିତ ହୋଇଥିଲା।

ଘଟଣା ଜଣାପଡ଼ିବା ପରେ ଚାରିଖଣ୍ଡ ମୌଜାର ଅନେକ ଲୋକ ଆସି ଜମ୍ବୁଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ସମସ୍ତଙ୍କ ମଧ୍ୟରେ ଶୋକର ପରିବେଶ ସୃଷ୍ଟି ହୋଇଥିବାବେଳେ, ସମସ୍ତଙ୍କ ମୁହଁରେ ଗୋଟିଏ କଥା—ଜମ୍ବୁ ଜଣେ ଭଲ ମଣିଷ ଥିଲା।

Leave A Reply

Your email address will not be published.