ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ ନିଶାଦ୍ରବ୍ୟର ଅପବ୍ୟବହାର , ଆଇନଗତ ପରିଣାମ , ସ୍ୱାସ୍ଥ୍ୟ ବିପଦ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ , ପାରଳାଖେମୁଣ୍ଡିର ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ “ନିଶାଦ୍ରବ୍ୟର ଅପବ୍ୟବହାର , ଆଇନଗତ ପରିଣାମ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ” ଏବଂ ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାଦ୍ରବ୍ୟର କୁପରିଣାମ , ଆଇନଗତ ଦାୟିତ୍ୱ ଏବଂ ଡିଜିଟାଲ୍ ଜଗତରେ ସୁରକ୍ଷିତ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମଡେଲ୍ ପୋଲିସ ଷ୍ଟେସନର ଆଇଆଇସି ଶ୍ରୀ ପ୍ରଶାନ୍ତ ଭୂପତି ଏବଂ ପାରଳାଖେମୁଣ୍ଡି ଗଜପତି ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଶ୍ରୀ ଟୁନା ସବର ବକ୍ତା ଭାବେ ଯୋଗଦେଇଥିଲେ। ଆଇଆଇସି ଶ୍ରୀ ପ୍ରଶାନ୍ତ ଭୂପତି ନିଶାଦ୍ରବ୍ୟର ଅବୈଧ ବ୍ୟବହାର , ବିକ୍ରୟ ଓ ଚାଲାଣର ଆଇନଗତ ପରିଣାମ , ଏହାର ଶାରୀରିକ ଓ ମାନସିକ କୁପ୍ରଭାବ ତଥା ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବାରେ ସଚେତନତା ଓ ଆତ୍ମନିୟନ୍ତ୍ରଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିପରି ସାଇବର କ୍ରାଇମ୍ ଇନ୍ସପେକ୍ଟର ଶ୍ରୀ ଟୁନା ସବର ଡିଜିଟାଲ୍ ଯୁଗରେ ସାଇବର ଠକେଇ , ଅନଲାଇନ୍ ଅପରାଧ , ବ୍ୟକ୍ତିଗତ ତଥ୍ୟ ଓ ଆର୍ଥିକ ସୂଚନାର ସୁରକ୍ଷା , ସୋସିଆଲ୍ ମିଡିଆର ସତର୍କ ବ୍ୟବହାର ଏବଂ ସାଇବର ଅପରାଧରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅନଲାଇନ୍ ଜଗତରେ ସଚେତନତା , ସତର୍କତା ଓ ଦାୟିତ୍ୱପୂର୍ଣ୍ଣ ଆଚରଣ ହିଁ ସୁରକ୍ଷାର ମୁଖ୍ୟ ଆଧାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ଉପସ୍ଥିତ ରହି ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ନୈତିକ , ସାମାଜିକ ଓ ବ୍ୟକ୍ତିଗତ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।
ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠର ସଂଯୋଜିକା ତଥା ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଚାରୁପ୍ରଭା ନାୟକ ନିଶାଦ୍ରବ୍ୟର ଅପବ୍ୟବହାର ଯୁବପିଢ଼ିଙ୍କ ଶାରୀରିକ , ମାନସିକ ଓ ସାମାଜିକ ଜୀବନକୁ କିପରି ପ୍ରଭାବିତ କରେ , ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ନିଶାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା , ନିଜର ଲକ୍ଷ୍ୟ ପ୍ରତି ସଚେତନ ରହିବା ଏବଂ ଆବଶ୍ୟକ ସମୟରେ ସଠିକ୍ ପରାମର୍ଶ ଓ ସହଯୋଗ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ପ୍ରାଣୀବିଜ୍ଞାନ ବିଭାଗର ସହାୟକ ପ୍ରଫେସର ଡ. କିରଣବାଳା ଭୂୟାଁ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ। ଶେଷରେ ଇତିହାସ ବିଭାଗର ଅଧ୍ୟାପିକା ସୁଜାତା ଗମାଙ୍ଗ ଧନ୍ୟବାଦ ଅର୍ପଣ କରି ଅତିଥି , ବକ୍ତା , ଆୟୋଜକ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ନିଶାମୁକ୍ତ ସମାଜ ଗଠନ , ଆଇନ ପ୍ରତି ସମ୍ମାନ , ଡିଜିଟାଲ୍ ସୁରକ୍ଷା ଏବଂ ଦାୟିତ୍ୱବାନ ନାଗରିକତାର ମୂଲ୍ୟବୋଧକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଗ୍ରତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।