ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଅର୍ଥ ମଞ୍ଜୁର କରାଇଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସି କର୍ମଚାରୀ

1

କଳାହାଣ୍ଡି/ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା, ୨୧/୧୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ରେ ଗୃହ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ବକେୟା ରାଶି ମୁକ୍ତ କରାଇଦେବାକୁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାସ।
ଶନିବାର (୨୧ ନଭେମ୍ବର ୨୦୨୬) ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିସାରିଥିବା ବେଳେ ଆଉ ୪୦ ହଜାର ଟଙ୍କା ବକେୟା ରହିଥିଲା।
ଏହି ବକେୟା ଅର୍ଥ ମୁକ୍ତ କରାଇଦେବା ପାଇଁ ହିତାଧିକାରୀ ଅଭିଯୁକ୍ତ ପ୍ରଦ୍ୟୁମ୍ନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ଅର୍ଥ ମୁକ୍ତ କରିବା ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଲାଞ୍ଚ ନଦେଲେ ବକେୟା ଟଙ୍କା ମୁକ୍ତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା କରିବେ ନାହିଁ ବୋଲି ହିତାଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏଥିରେ ଅତିଷ୍ଠ ହୋଇ ହିତାଧିକାରୀ ଜଣକ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସର ଏକ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଧରିଥିଲା।
ଅଭିଯୁକ୍ତଙ୍କ କବ୍‌ଜାରୁ ଲାଞ୍ଚ ବାବଦ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଆୟବର୍ହିଭୂତ ସମ୍ପତ୍ତି (ଡିଏ) ଠାବ କରିବା ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଅଭିଯାନ ଜାରି ରହିଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ ୨୮/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଘଟଣାର ବିସ୍ତୃତ ରିପୋର୍ଟ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ।

Leave A Reply

Your email address will not be published.