୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ସଫଳତା

9

  • ବାଳକ ଓ ବାଳିକା ଉଭୟ ବର୍ଗରେ ଚାମ୍ପିୟନ୍‌
  • ବାଳକ ବର୍ଗରେ ସୁନ୍ଦରଗଡ଼କୁ ଏବଂ ବାଳିକା ବର୍ଗରେ କଟକକୁ ଫାଇନାଲ୍‌ରେ ପରାସ୍ତ କରି ଏହି ସଫଳତା ହାସଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଦବ୍‌ଦବା। ବାଳକ ଓ ବାଳିକା ଉଭୟ ବର୍ଗରେ ଚାମ୍ପିୟନ୍‌ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି ଗଜପତି। ବାଳକ ବର୍ଗରେ ସୁନ୍ଦରଗଡ଼କୁ ଏବଂ ବାଳିକା ବର୍ଗରେ କଟକକୁ ଫାଇନାଲ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି।
ବାରିପଦାସ୍ଥିତ ପିଏମ୍‌ ଶ୍ରୀ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୩୦ଟି ଜିଲ୍ଲାର ବାଳକ ଓ ବାଳିକା ଦଳ ଭାଗ ନେଇଥିଲେ। ଏହି ସଫଳତା ସହ ଗଜପତିର ୬ ଜଣ ଖେଳାଳି ଜାତୀୟସ୍ତର ପାଇଁ ମନୋନୀତ ହୋଇଛନ୍ତି। ବାଳକ ବର୍ଗରୁ ସନାତନ ମଣ୍ଡଳ , ଦୀପକ ଶବର , ଚରଣ ତେଜ୍‌ ଓ ଉଦୟ ଶଙ୍କର ଏବଂ ବାଳିକା ବର୍ଗରୁ ସବିତା ମାଝୀ ଓ ଏଲିନା ନାୟକ ମନୋନୀତ ହୋଇଛନ୍ତି। କେ. ବାସୁଦେବ ରେଡ୍ଡୀ , କାଳିଆ ପ୍ରଧାନ ଓ ଅଭିମନ୍ୟୁ ଗମାଙ୍ଗ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିବା ବେଳେ ଲିଙ୍ଗରାଜ ସାହୁ ଓ କିରଣ ପାହାଡ଼ସିଂ ଉପସ୍ଥିତ ଥିଲେ।
ଗଜପତି ଫେରିବା ପରେ ରେଳଷ୍ଟେସନଠାରେ ବିଜୟୀ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚାମ୍ପିୟନ୍‌ ଟ୍ରଫି ସହ ଫେରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ କ୍ରୀଡ଼ାପ୍ରେମୀ।

Leave A Reply

Your email address will not be published.