ବେଲଗୁଣ୍ଠା,୨୬/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୋଠଳି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ଏକ ମର୍ମନ୍ତୁଦ ମୋଟରସାଇକେଲ ଦୁର୍ଘଟଣା। ଏଥିରେ ରଙ୍କନିଧି ପ୍ରଧାନ (୫୬)ଙ୍କ ମୃତ୍ୟୁ ଘଟିଛି। ସେ ଗ୍ରାମର ଉତ୍ସବ ପ୍ରଧାନଙ୍କ ପୁଅ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ରଙ୍କନିଧି କୌଣସି କାମରେ ମୋଟରସାଇକେଲ ଯୋଗେ ବେଲଗୁଣ୍ଠା ଆସିଥିଲେ। କାମ ସାରି ଦିନ ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ନିଜ ଗ୍ରାମକୁ ଫେରୁଥିବା ବେଳେ ବେଲଗୁଣ୍ଠା ସହରଠାରୁ ମାତ୍ର ୧୦୦ ମିଟର ଦୂର ବିଶ୍ବନାଥ ବିହାର ଛକ ନିକଟରେ ରାସ୍ତାକଡ଼ରେ ରଖାଯାଇଥିବା ଏକ ସ୍କୁଟିକୁ ତାଙ୍କ ମୋଟରସାଇକେଲ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ପାଖରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସକୁ ସୂଚନା ଦେଇଥିଲେ। ବେଲଗୁଣ୍ଠା ଥାନା ଏଏସଆଇ ପ୍ରମୋଦ ଚଟି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏ ନେଇ ବେଲଗୁଣ୍ଠା ଥାନାରେ ୬୭୮/୨୬ ରେ ଏକ ମାମଲା ରୁଜୁ ହୋଇଛି।ଏସ ଆଇ ଶ୍ରୀ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି l ପୋଲିସ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ସ୍କୁଟିକୁ ଜବତ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଶିବରାମ ସାହୁ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି।