ଝାରସୁଗୁଡ଼ା ଡିଏଭିରେ ତ୍ରିଦିବସୀୟ ଶିଶୁ ମହୋତ୍ସବ-୨୦୨୬ ଉଦଘାଟିତ

10

ଝାରସୁଗୁଡ଼ା:୧୨ ନଭେମ୍ବର: ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ପରିସରରେ ଆଜି ଶିଶୁ ମହୋତ୍ସବ-୨୦୨୬ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସାହିତ୍ୟ ସାଧନା, କଳାତ୍ମକ ଅଭିବ୍ୟକ୍ତି, ବୌଦ୍ଧିକ ଚର୍ଚ୍ଚା, ସାଂସ୍କୃତିକ ପରିବେଷଣ ଓ ଭବିଷ୍ୟତମୁଖୀ ବୃତ୍ତିଗତ ସଚେତନତାର ଏକ ମନୋରମ ସମାହାର ପରିଲକ୍ଷିତ ହୋଇଥିଲା । ଶିଶୁ ମହୋତ୍ସବ-୨୦୨୬ ସହ ପୁସ୍ତକ ମେଳାର ଶୁଭାରମ୍ଭ ହୋଇଥିଲା ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ, ଯୋଗାଯୋଗ ଦକ୍ଷତା ଓ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ପ୍ରୋତ୍ସାହିତ କରିଥିଲା। ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ସାହିତ୍ୟ ସମ୍ମିଳନୀରେ ସାହିତ୍ୟ ଓ ସମାଜ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ, ସମାଜର ବାସ୍ତବ ଚିତ୍ର ପ୍ରତିଫଳନ, ସମସାମୟିକ ଚିନ୍ତାଧାରାର ନିର୍ମାଣ ତଥା ଏକ ପ୍ରଗତିଶୀଳ ଭବିଷ୍ୟତର ପରିକଳ୍ପନାରେ ସାହିତ୍ୟର ଭୂମିକାକୁ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସେହିପରି କ୍ୟାରିୟର ଫେୟାର ମଧ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବୃତ୍ତିଗତ ସମ୍ଭାବନା ଓ ଭବିଷ୍ୟତର ଶିକ୍ଷାଗତ ତଥା ବୃତ୍ତିଗତ ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲା। ବିଦ୍ୟାଳୟ ପରିସରରେ ଦିନତମାମ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଲାଗି ରହିଥିଲା। ମହାପୁରୁଷମାନଙ୍କ ଜୀବନୀ ଆଧାରିତ ଅଭିନୟ, ଇଂରାଜୀ କବିତା ଆବୃତ୍ତି, ତତ୍କାଳିକ ଇଂରାଜୀ ବକ୍ତୃତା, ଇଂରାଜୀ ବିତର୍କ, ଇଂରାଜୀ ଭାଷଣ, ସଙ୍ଗୀତ, ବିଜ୍ଞାପନ ପ୍ରଦର୍ଶନ, ଆନ୍ତଃସଦନ କୁଇଜ, ଗୀତା ଶ୍ଳୋକ ଆବୃତ୍ତି ଓ ଫଟୋଗ୍ରାଫି ଭଳି ବିବିଧ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଭାଗ ନେଇଥିଲେ। କ୍ଲବ କ୍ୟାବିନେଟ ପକ୍ଷରୁ ‘ଖାନା ଖଜାନା’ ଶୀର୍ଷକରେ ଆୟୋଜିତ ରୋଷେଇ ଉତ୍ସବ ସହିତ ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ପରିପ୍ରକାଶ ନିମନ୍ତେ ନଡ଼ିଆ ସଜ୍ଜା, ମାଟିପାତ୍ର ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରସ୍ତୁତି ଭଳି ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ଶ୍ରେଣୀ ଓ ସଦନର ବିଭିନ୍ନ ପ୍ରତିଯୋଗିତାର କୃତୀ ଓ ପ୍ରତିଭାସମ୍ପନ୍ନ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ସଫଳତା ଓ ସୃଜନଶୀଳ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଉଦଘାଟନୀ ଦିବସ ଅବସରରେ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ପ୍ରଫେସର ଡ. ତ୍ୟାଗରାଜ ଠାକୁର, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା, ସମଲେଶ୍ୱରୀ ଡିଏଭିରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ହରିଲାଲ ପଧାନ, ସମଲେଶ୍ୱରୀ ଡିଏଭି ଅଧ୍ୟକ୍ଷା ମାନଭିନ କୌର, ବନହରପାଲି ଡିଏଭି ଅଧ୍ୟକ୍ଷା ଅନିତା ଭାଗ୍ୟରାଜ, ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଓ ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଅଭିନବ କ୍ରିୟାକଳାପ ସହ ଲଗାତାର ତିନିଦିନ ଧରି ଚାଲିବ ।

Leave A Reply

Your email address will not be published.