ସରକାରଙ୍କ କୁସୁମିତାରେ ଉନ୍ନତିକରଣ ଯୋଜନା ଆଶା ଆଶଙ୍କା ମଝିରେ।
କେନ୍ଦୁଝର,ତା୧୨/୧୧– ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିପ୍ଲବୀ ଧରଣୀଧରଙ୍କ ଜନ୍ମମାଟି କୁସୁମିତା ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଜନ୍ମଜୟନ୍ତୀ ପାଳନ ବେଳେ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ୫୦ କୋଟି ଟଙ୍କା ବ୍ୟୟ କରିଯିବା କୁହାଯାଇଥିଲା। ଏଥିରେ ଧରଣୀଧରଙ୍କ ସ୍ମୃତି କୂଅ,ଘର ଆଦିର ଉନ୍ନତିକରଣ ହେବା ସହ ଗ୍ରାମର ଅନେକ ଉନ୍ନତି ହେବ ବୋଲି ଆଲୋଚନା ହୋଇଥିଲା। ଗ୍ରାମବାସୀ ତେଣୁ ଗାଁରେ ସବୁ ଚାଳ ଛପର ଖପର ଘର ଏକା ପରି ହେବ ବୋଲି ଆଶା କରିବସିଥିଲେ। ତେବେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧରଣୀଧରଙ୍କ ଜନ୍ମିତ ଘରକୁ ଭାଙ୍ଗି ନୂଆ ବିଲଡିଂ କରିବାକୁ ଉଦ୍ୟମ ହେଉଥିବାରୁ ଅଭିଯୋଗ କରି ପରିବାରର ଅନେକ ଲୋକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ବାପ ଚଉଦପୁରୁଷର ଘର ଭାଙ୍ଗିଲେ ସେମାନେ ବିସ୍ଥାପିତ ହେବେ ପ୍ରଶାସନ ସେମାନଙ୍କୁ ଜଙ୍ଗଲରେ ଜମି ଦେବ କହିଛି ବୋଲି ସେମାନେ କହିଛନ୍ତି। ଜଙ୍ଗଲ ଅଂଚଳରେ ହାତୀ ସେଠାରେ କିଛି ଲୋକଙ୍କୁ ମାରିଥିବାରୁ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ନିଜ ପୂଜା ସ୍ଥଳ ସେମାନେ କାହାକୁ ଛାଡ଼ିବେନି ବୋଲି କେନ୍ଦୁଝର ଜିଲ୍ଲପାଳଙ୍କ ଅଫିସ ପରିସରରେ ଆଜି କହିଥିଲେ। ଧରଣୀଧରଙ୍କ କୂଅକୁ ସେମାନେ ଜୀବନକୁ ବାଜି ଲଗେଇ ନିଜ ଖର୍ଚ୍ଚରେ ଉଦ୍ଧାର କଲେ ପ୍ରଶାସନ ଶୁଣିଲାନି ଏବେ ତେଣୁ ସେହି କୂଅକୁ ଆହୁରି ଉନ୍ନତି ସରକାର କରୁ ଏବଂ ଘର ବାହାରେ ଥିବା ଜମିରେ କମ୍ପ୍ଲେକ୍ସ କୋଠା ବନେଇବାକୁ ପରିବାର ଲୋକେ ଦାବି କରିଛନ୍ତି। ପଟ୍ଟାଧାରୀ ଧରଣୀଧର ପରିବାର କଥା ସରକାର ଶୁଣୁବୋଲି ପରିବାର ମୁଖ୍ୟ ହୃଷିକେଶ ନାଏକ କହିଛନ୍ତି। ତାଙ୍କ ସହ ନବ କିଶୋର ନାଏକ, ବିନତି ନାଏକ, ଗୋଲାପ ନାଏକ ଆଦି ପରିବାର ଲୋକେ ପ୍ରଶାସନ ବାହାରେ ନିର୍ମାଣ କରୁ ଧରଣୀଧରଙ୍କ ପାରିବାରିକ ଘର ସବୁ ସୁରକ୍ଷିତ ରହୁବୋଲି ଦାବି କରିଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କିପରି ଏହି ଜନଜାତି ଲୋକଙ୍କୁ ବୁଝାଇ ସମସ୍ୟା ସମାଧାନ କରୁଛି।