ଜଳସେଚିତ ଜମିକୁ ଘରବାରି କିସମ ପରିବର୍ତ୍ତନ ଦାବିରେ କଂଗ୍ରେସର ଦାବିପତ୍ର,

16


ସାଧାରଣ ଲୋକ ଓ ଅନୁଷ୍ଠାନ ପାଇଁ ଗୋଟିଏ ନିୟମରେ କିଶମ ପରିବର୍ତ୍ତନ ପାଇଁ ଦାବି,

ଓଡ଼ଗାଁ, ୧୨।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ନନ୍ଦିଘୋର ରାଜସ୍ୱ ମଣ୍ଡଳର ଘଷାଦେଇପୁର ମୌଜାରେ ଜଳକର କିସମ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ଏବେ ଟଣା ଓଟରା ଆରମ୍ଭ ହୋଇଛି। ନବଜ୍ୟୋତି ଟ୍ରଷ୍ଟ, ଓଡ଼ଗାଁ ପକ୍ଷରୁ ହୋଲି ଫ୍ୟାମିଲି ସ୍କୁଲ ଗୃହ ନିର୍ମାଣ ନିମନ୍ତେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଜଳକର କିସମ ଜମି କ୍ରୟ କରାଯାଇଥିବା ବେଳେ ଉକ୍ତ ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ ହୋଇ ଏହାର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ଗାଁ ବ୍ଲକ୍ କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଓଡ଼ଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ସାଧାରଣ ଲୋକ ଓ ଗରିବ ପରିବାର ନିଜର ଜଳସେଚିତ ଜମି ଉପରେ ଦୀର୍ଘ ବର୍ଷ ଧରି ଘରଦ୍ୱାର ନିର୍ମାଣ କରି ବସବାସ କରୁଛନ୍ତି। ମାତ୍ର ଏହି ଜମିଗୁଡ଼ିକର କିସମକୁ ଘରବାରିରେ ପରିବର୍ତ୍ତନ କରିବା ଏବଂ ତଦନୁଯାୟୀ ସରକାରୀ ସୁବିଧା ପାଇବା ପାଇଁ ସେମାନେ ତହସିଲ କାର୍ଯ୍ୟାଳୟକୁ ଗଲେ ନିୟମର ଆଳ ଦେଖାଇ ଆବେଦନକୁ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଦର୍ଶାଇ ଜମି କିସମ ପରିବର୍ତ୍ତନ ପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ ସାଧାରଣ ଲୋକଙ୍କ କ୍ଷେତ୍ରରେ କାହିଁକି ସମାନ ନିୟମ ଲାଗୁ ହେଉନାହିଁ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ପ୍ରଶାସନ ପକ୍ଷରୁ ଏଭଳି ପାତରଅନ୍ତର ନୀତି ଅବଲମ୍ବନ ନକରି ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ସାଧାରଣ ଲୋକଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ମଧ୍ୟ ଆଇନ ଅନୁଯାୟୀ ସୁଯୋଗ ଦେବାକୁ ଦଳ ଦାବି କରିଛି। ଏହି ମର୍ମରେ ଓଡ଼ଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ, ନୟାଗଡ଼ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ତଙ୍କ ନିମନ୍ତେ ସମାନ ଭାବେ ଆଇନକୁ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.