ସ୍ଥସ୍ଥଗିତାଦେଶ ପାଇଁ ପ୍ରଶାସନର ପରୋକ୍ଷ ସୁଯୋଗ ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ,
ଓଡ଼ଗାଁ,୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଦେଓଗାଁ ଭାଲିଆଡିହି ବିବାଦୀୟ ରାସ୍ତା ନିର୍ମାଣ ଦାବିରେ ଦୀର୍ଘ ୩୯ ଦିନର ଅହୋରାତ୍ର ଗଣଧାରଣା ପରେ ନୟାଗଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ ଶେଷରେ ପ୍ରତ୍ୟାହାର କରିଛନ୍ତି ଦେଓଗାଁବାସୀ। ରାସ୍ତା ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଥିବା ବେଳେ ଆଗାମୀ ଦିନରେ ନ୍ୟାୟିକ ଲଢ଼େଇ ଜାରି ରଖିବାକୁ ଆନ୍ଦୋଳନକାରୀମାନେ ନିଷ୍ପତ୍ତି ନେଇଛନ୍ତି। ସୂଚନାନୁସାରେ, ଗତକାଲି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନ ପୁଲିସ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାକୁ ଭାଲିଆଡିହି ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ମହିଳା ଓ ଛୋଟ ଛୋଟ ପିଲାମାନେ ରାସ୍ତା ଉପରେ ବସି ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ ପ୍ରଶାସନର ପଦକ୍ଷେପକୁ ଅଟକାଇଥିଲେ। ଏବଂ ଏହି ସମୟରେ ରାସ୍ତା ନିର୍ମାଣ ସମ୍ପର୍କରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ରହିତାଦେଶ ଥିବା ନିର୍ଦ୍ଦେଶନାମା ପ୍ରଶାସନକୁ ଦେଖାଯାଇଥିଲା। ଫଳରେ ପ୍ରଶାସନ ବାଧ୍ୟହୋଇ ସେଠାରୁ ଫେରିଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ କିଛିଦିନ ପାଇଁ ଆଇନଗତ ପ୍ରତିବନ୍ଧକ ରହିଥିବାରୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଦେଓଗାଁବାସୀ ନିଜର ଗଣଧାରଣା ପ୍ରତ୍ୟାହାର କରିଛନ୍ତି। ଏଥିସହ ଆଗକୁ ଆଇନଗତ ଭାବେ ନିଜର ଦାବି ଉପସ୍ଥାପନ କରିବା ସହ ନ୍ୟାୟିକ ଲଢ଼େଇରେ ସାମିଲ ହେବେ ବୋଲି ଜଣାଇଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କେଚ୍ ମ୍ୟାପ୍ ଉପଲବ୍ଧ ଥିବା ସତ୍ତ୍ୱେ ପ୍ରଶାସନ ଚାହିଁଥିଲେ ସ୍ଥଗିତାଦେଶ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ନେଇପାରିଥାନ୍ତା। କିନ୍ତୁ ଦୀର୍ଘ ୩୮ ଦିନ ଧରି ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଲୁଚକାଳି ଖେଳିବା ଭଳି ପରିସ୍ଥିତି ସୃଷ୍ଟି କରି ଭାଲିଆଡିହିବାସୀଙ୍କୁ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିବା ପାଇଁ ପରୋକ୍ଷରେ ସୁଯୋଗ ଦେଇଥିବା ନେଇ ଦେଓଗାଁବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନର ଏଭଳି ଭୂମିକାକୁ ନେଇ ଆନ୍ଦୋଳନକାରୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବଂ ରାସ୍ତା ନିର୍ମାଣ ବିବାଦ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।