ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚିଲେ ସାକାର ହେବ ବିକଶିତ ଭାରତର ସ୍ବପ୍ନ: ବାଚସ୍ପତି
ଓଡ଼ଗାଁ, ୧୨।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଚାଷୀଙ୍କ ଆର୍ଥିକ ସମୃଦ୍ଧି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ଲକ୍ଷ୍ୟରେ ଓଡ଼ଗାଁ ବ୍ଲକ୍ ତଥା ଏନ୍ଏସି ପକ୍ଷରୁ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଓଡ଼ଗାଁ ମହୋତ୍ସବ ପଡ଼ିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଡା. ପ୍ରକାଶ ଚନ୍ଦ୍ର ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମେଳାରେ ପ୍ରଦର୍ଶିତ ମତ୍ସ୍ୟ, ପ୍ରାଣୀସମ୍ପଦ, ଓଡ଼ିଶା ଶ୍ରୀଅନ୍ନ ଅଭିଯାନ, କୃଷି ଓ ଉଦ୍ୟାନ କୃଷି ବିଭାଗର ୧୨ଟି ଷ୍ଟଲ୍ ପରିଦର୍ଶନ କରି ବିଭିନ୍ନ ଯୋଜନା ଓ ଉତ୍ପାଦ ସମ୍ପର୍କରେ ଅବଗତ ହୋଇଥିଲେ। ପରେ ମଞ୍ଚରେ ଉଦ୍ବୋଧନ ଦେଇ କାମଧେନୁ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମାଜର ତୃଣମୂଳସ୍ତରରେ ଥିବା ଲୋକଙ୍କ ନିକଟରେ ପହଞ୍ଚି ପାରିଲେ ହିଁ ବିକଶିତ ଭାରତ ଗଠନର ସ୍ବପ୍ନ ସାକାର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ବିରଜା ଲକ୍ଷ୍ମୀ ସାହୁ ଓ ଝିଲି ପ୍ରଧାନ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ବିଦ୍ୟୁତ୍ ଶେଖର ମିଶ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଏବଂ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ ମଙ୍ଗଳ) ଡା. ଅକ୍ଷୟ କୁମାର ଯେନା ପ୍ରମୁଖ ଯୋଗ ଦେଇଥିଲେ। ମତ୍ସ୍ୟଚାଷ, ଗୋପାଳନ, ଛେଳିପାଳନ, କୃଷି ଓ ଉଦ୍ୟାନ କୃଷି ଆଦିର ସମନ୍ବିତ ବିକାଶ ଦ୍ବାରା ଚାଷୀଙ୍କ ଆୟ ବହୁଗୁଣିତ ହେବା ସହ ସେମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ, ସେ ସମ୍ପର୍କରେ ଅତିଥିମାନେ ମତ ରଖିଥିଲେ।

ମେଳାରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ସାଙ୍କେତିକ ଚେକ୍ ପ୍ରଦାନ କରାଯାଇଥିଲା। ଗୋ-ବୀମା ଯୋଜନାରେ ଅର୍ଜୁନ ସାହୁଙ୍କୁ ୫୪ ହଜାର ଓ ବବୁଲ କୁମାର ଗୌଡ଼ଙ୍କୁ ୩୯ ହଜାର ଟଙ୍କା, ମଇଁଷି ପାଳନ ପାଇଁ ଦମୟନ୍ତୀ ବେହେରାଙ୍କୁ ୧ ଲକ୍ଷ ୬୧ ହଜାର ଟଙ୍କା, ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ଅନୂଛାୟା ପ୍ରଧାନଙ୍କୁ ୨ ଲକ୍ଷ ୬୯ ହଜାର ଟଙ୍କା, ମତ୍ସ୍ୟ ପୋଖରୀ ଯୋଜନାରେ ସୁକୁରୀ ଦେଇଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଏବଂ ଘାସଚାଷ ପାଇଁ ପ୍ରିୟଦର୍ଶିନୀଙ୍କୁ ୭ ହଜାର ୫୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ସେହିପରି ଜାଆଁଳା ଉତ୍ପାଦନ କେନ୍ଦ୍ର ପାଇଁ ଦିଲ୍ଲୀପ କୁମାର ନାୟକ, ମତ୍ସ୍ୟ ଉତ୍ପାଦନ ପାଇଁ ମୃତ୍ୟୁଞ୍ଜୟ ପରିଡ଼ା, ଗୋପାଳନ ପାଇଁ ଅଚ୍ୟୁତ ମହାନ୍ତି ଓ ପ୍ରଶାନ୍ତ ନାୟକ, ଛେଳିପାଳନ ପାଇଁ ସରୋଜିନୀ ସାହୁ ଓ ସେଲି ପାତ୍ର, ମତ୍ସ୍ୟ ଯନ୍ତ୍ରପାତି ପାଇଁ ସୁରେନ୍ଦ୍ର ନାୟକ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବିନୋଦିନୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ମତ୍ସ୍ୟ ପୋଖରୀ ଯୋଜନାରେ କୁରାଳର ରାମେଶ୍ବର ପଣ୍ଡାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡା. ରିତେଶ ମହାପାତ୍ର, ଡା. ଅଙ୍କିତା ଜାନୀ, ଡା. ଅରୂପ ରଞ୍ଜନ ମହାନ୍ତି ଓ ଡା. ପ୍ରତିକ ପରିଜା ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ଲକ୍ ମତ୍ସ୍ୟ ଅଧିକାରୀ ସୋନାଲୀ ସୁଚରିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।