- ଜନସାଧାରଣଙ୍କୁ ତ୍ୱରିତ ରାଜସ୍ୱ ସେବା ଯୋଗାଣ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଉପରେ ଗୁରୁତ୍ୱ।
- ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ।
କେନ୍ଦ୍ରାପଡ଼ା: ୧୧.୧୧(ପ୍ରଫୁଲ୍ଲ ମଲ୍ଲ) ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାପଡ଼ା ସର୍କିଟ୍ ହାଉସଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ଏବଂ ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଯୋଗଦେଇଥିଲେ।
ଏଥିସହ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର, ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକରେ ବସୁନ୍ଧରା ଯୋଜନାର କାର୍ଯ୍ୟାନ୍ୱୟନ, ଭୂମିହୀନ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଓ ରାଜସ୍ୱ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ, ବିଦ୍ୟାଳୟ ଗୁଡ଼ିକୁ ଜମି ପଟ୍ଟା ପ୍ରଦାନ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଏହି ଅବସରରେ ମାନ୍ୟବର ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆବଶ୍ୟକତା ଓ ରାଜସ୍ୱ ସମ୍ପର୍କିତ ଅଭିଯୋଗଗୁଡ଼ିକ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଆଲୋଚନା ହୋଇଥିଲା।
ମାନ୍ୟବର ମନ୍ତ୍ରୀ ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିବା ସହ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଜମି ପ୍ରଦାନ, ସରକାରୀ ଜମିର ସୁରକ୍ଷା, ବିଦ୍ୟାଳୟଗୁଡ଼ିକୁ ଜମି ପଟ୍ଟା ପ୍ରଦାନ ଏବଂ ଜନ ସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି ଓ ତ୍ୱରିତ ପଦକ୍ଷେପ ଗ୍ରହଣ,ଭିତ୍ତିଭୂମି ବିକାଶ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହା ସହ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ, ନିୟମିତ ଯୋଗାଯୋଗ ଓ ସହଯୋଗ ରଖି ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଜନସାଧାରଣଙ୍କୁ ସ୍ୱଚ୍ଛ, ସରଳ ଓ ସମୟୋଚିତ ରାଜସ୍ୱ ସେବା ଯୋଗାଇଦେବା ସହ ସରକାରୀ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବାନ ଓ ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଜିଲ୍ଲାର ବିଭିନ୍ନ କାର୍ଯ୍ୟରେ ସଫଳତା ପ୍ରଶଂସା କରିବା ସହିତ ଉତ୍ତମ କାମ କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |