ଗୁଣପୁରଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ୨୦୨୬ ଅନୁଷ୍ଠିତ

13

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଆଜି ୧୧ ନଭେମ୍ବର ୨୦୨୬ ତାରିଖ ରେ ଗୁଣପୁର ବ୍ଲକ ପରିସର ପଡିଆ ଠାରେ ବ୍ଲକସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ୨୦୨୬’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଂଶଗ୍ରହଣକାରୀଙ୍କ ପଞ୍ଜିକରଣ କରାଯିବା ସହ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶର ସଫଳ କାହାଣୀ ସମ୍ବନ୍ଧୀୟ ଭିଡିଓ ପ୍ରଦର୍ଶିତ ହୋଇଥିଲା ।ଏଥିରେ ସମସ୍ତ ପଂଚାୟତ ର ୪୦୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ ।
ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଗୋ-ପୂଜନ ଓ ତତ୍ ପରେ ବୃକ୍ଷରୋପଣ କରାଯାଇଥିଲା। ଅତିଥିମାନଙ୍କ ସ୍ୱାଗତ ପରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ, ପ୍ରଦୀପ ପ୍ରଜ୍ଵଳନ କରାଯାଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା। ମଞ୍ଚ ପରିଚାଳକଙ୍କ ସ୍ୱାଗତ ସମ୍ଭାଷଣ ପରେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ୍‌ଗୁଡ଼ିକ ପରିଦର୍ଶନ କରିଥିଲେ। ଗୋଷ୍ଠୀ ପ୍ରାଣିଚିକିତ୍ସା ଅଧିକାରୀ ତଥା ଆବାହକ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପରିଚାଳନା କମିଟି-୨୦୨୬ ଡାଃ ରାଧେଶ୍ୟାମ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମେଳାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରରେ ସଫଳତା ହାସଲ କରିଥିବା କାଲମା ଗ୍ରାମର କୁକୁଡ଼ା ଉଦ୍ୟୋଗୀ ଚାଷୀ ଶ୍ରୀ ମନୋରଂଜନ ମହାନ୍ତି, ରୂପାପଦର ଗ୍ରାମର ମତ୍ସ୍ୟ ଚାଷୀ ଶ୍ରୀ ପୂନିୟା ଶବର, ସିଂଗୁବାଇ ଗ୍ରାମର ଗୋପାଳକ ଓ ଘାସ ଉଦ୍ୟୋଗୀ ଶ୍ରୀ ଜଗଦୀଶ ଗଙ୍ଗା ଏବଂ ଶ୍ରୀରାମପୁର ଗ୍ରାମର ମତ୍ସ୍ୟ ଚାଷୀ ଶ୍ରୀ ନାଗରାଜୁ ଶବର ନିଜର ସଫଳତାର କାହାଣୀ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅଧ୍ୟକ୍ଷ, ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପରିଚାଳନା କମିଟି-୨୦୨୬ ଚାଷୀ ମାନଙ୍କୁ ଗୋ ସୁଗମ ପୋର୍ଟାଲ ମାଧ୍ୟମରେ ସରକାରୀ ଯୋଜନାରେ ଆବେଦନ କରିବା ପାଇଁ ଅନୁରୋଧ କରିଥିଲେ । ଡାଃ ଶଶାଙ୍କ ଶେଖର ନାୟକ ,ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଗୋପାଳକ ମାନଙ୍କୁ OMFED କୁ କ୍ଷୀର ବିକ୍ରି କରି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ନିଜର ଆୟ କୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମତ୍ସ୍ୟ ମୁଖ୍ୟାଳୟରୁ ଶତାବ୍ଦୀ ସୁଭଦ୍ରା ଶୁଭଦର୍ଶିନୀ,ସହକାରୀ ମତ୍ସ୍ୟ ଅଧିକାରିଣୀ ମତ୍ସ୍ୟ ଚାଷ ଓ ପ୍ରାଣିପାଳନ କରି ଲଭାନ୍ଵିତ ହେବା ବିଷୟରେ ସଚେତନ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁଦର୍ଶନ ଶବର , ଉପାଧ୍ୟକ୍ଷ , ପଞ୍ଚାୟତ ସମିତି ଗୁଣପୁର ଚାଷୀମାନଙ୍କୁ ଗୋ ସମ୍ପଦ ବୀମା ଯୋଜନାର ଲାଭ ଉଠେଇବା ପାଇଁ ପ୍ରେରଣା ଦେଇଥିଲେ । ଗୁଣୁପୁର ପୌରପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼ ଚାଷୀମାନକୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମ ରେ ଗୋପାଳନ କରି ରାଜ୍ୟ ରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ରେ ସହଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ଶବର ମହୋଦୟ ଯୋଗଦେଇ ଚାଷୀମାନଙ୍କୁ ମତ୍ସ୍ୟ ଓ ପ୍ରାଣିପାଳନ କ୍ଷେତ୍ର ରେ ସରକାରଙ୍କ ନୂତନ ଯୋଜନା ଏବଂ ପ୍ରଯୁକ୍ତି ଦ୍ବାରା ଲାଭ ଉଠେଇବା ସହ ସମୃଦ୍ଧ, ସଶକ୍ତ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନ ରେ ସହଯୋଗ କରିବାକୁ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ଝିଲି ଶବର, ଅଧ୍ୟକ୍ଷା, ପଞ୍ଚାୟତ ସମିତି ଗୁଣପୁର ଏହି କାର୍ଯକ୍ରମ ରେ ଯୋଗ ଦେଇଥିବା ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମେଳାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଙ୍କ ଭିଡିଓ ବାର୍ତା ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ସରକାରୀ ଯୋଜନାରେ ୧୦ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଏବଂ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କ୍ଷୁଦ୍ର ସ୍ତରୀୟ ଛେଳି ପାଳନ ପାଇଁ ଶ୍ରୀ ପିଲିମ ଗମାଙ୍ଗ ଓ ଶ୍ରୀ ଅବେଦ ଶବରଙ୍କୁ ଟ. ୬୬,୦୦୦, ଶ୍ରୀ ଆଲଡା ରାମବାବୁଙ୍କୁ ୩୨ କ୍ଷମତା ବିଶିଷ୍ଟ ଛେଳି ପାଳନ ପାଇଁ ଟ. ୧,୩୨,୫୦୦/- ଏବଂ ଶ୍ରୀ ପୂନିୟା ଶବରଙ୍କୁ ଜୈବ ପୁଞ୍ଜରେ ମାଛ ଚାଷ ନିମନ୍ତେ ଟ. ୧,୭୭,୬୦୦/- ସହାୟତା ରାଶି ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବାରମାସୀ ଘାସ ଚାଷ ପାଇଁ ଶ୍ରୀ ରାମଚନ୍ଦ୍ର ଗୌଡ଼ଙ୍କୁ ଟ. ୩୫,୦୦୦/- ଏବଂ ଶ୍ରୀ ଧନୁ ଗୌଡ଼ଙ୍କୁ ଟ. ୧୭,୫୦୦/- ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଶ୍ରୀ ନାଗରାଜୁ ଶବର, ଶ୍ରୀ ବିଡ଼ିକା ସୋମବ୍ରା, ଶ୍ରୀ ଏଗା ଶବର, ଶ୍ରୀ କିଶୋର କୁମାର ଶବର, ମା’ ମହେଶ୍ୱରୀ ମହିଳା ଏସଏଚଜି ଏବଂ ଶ୍ରୀମତୀ ସବିତା ଗୌଡ଼ଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମ ରେ ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭା ଶେଷରେ ବ୍ଲକ୍ ମତ୍ସ୍ୟ ଅଧିକାରୀ ତଥା ସହ-ଆବାହକ ଶ୍ରୀ ଚନ୍ଦନ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ ଷ୍ଟଲ୍‌ଗୁଡ଼ିକ ପରିଦର୍ଶନ କରିଥିଲେ । ଏହି କାର୍ଯକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ଅନ୍ୟ ଭିବାଗୀୟ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.