ଝାରସୁଗୁଡ଼ାରେ ଧୁମଧାମରେ ପାଳିତ ହେବ ଛଠ୍ ପୂଜା

14
  • ଘାଟଗୁଡ଼ିକରେ ମହିଳାଙ୍କ ପାଇଁ ପୋଷାକ ବଦଳ ଗୃହ, ଆଲୋକ ଓ ସ୍ୱଚ୍ଛତା ଉପରେ ବିଧାୟକଙ୍କ ସର୍ବାଧିକ ଗୁରୁତ୍ୱ
  • ଡିଏମ୍‌ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
  • ଜିଲ୍ଲାର ୯ଟି ପ୍ରମୁଖ ଘାଟର ପରିମଳ ଓ ଆନୁସଙ୍ଗିକ ଦାୟିତ୍ୱ ତୁଲାଇବେ ଶିଳ୍ପାନୁଷ୍ଠାନ
  • ଟ୍ରାଫିକ୍ ନିୟନ୍ତ୍ରଣ ରହିବ ବୋଲି ଏସ୍‌ପିଙ୍କ ସୂଚନା
  • ପୂଜା ପରେ ନଭେମ୍ବର ୧୭ରେ ଘାଟ ସଫେଇ ପାଇଁ ଆଗେଇ ଆସିବାକୁ କମିଟି ଓ ସ୍ୱେଚ୍ଛାସେବୀଙ୍କୁ ବିଧାୟକଙ୍କ ଆହ୍ୱାନ

ଝାରସୁଗୁଡ଼ା, ୧୧: ଲୋକଆସ୍ଥାର ମହାନ ପର୍ବ ‘ଛଠ୍ ପୂଜା’କୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ଭବ୍ୟ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଡିଏମ୍‌ଏଫ୍ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲେ। ପୂଜା ସମୟରେ ବିଶେଷ କରି ବ୍ରତଧାରୀ ମହିଳାମାନଙ୍କ ସୁବିଧା ପାଇଁ ସମସ୍ତ ପୂଜା ଘାଟରେ ଅସ୍ଥାୟୀ ପୋଷାକ ବଦଳ ଗୃହ (ଚେଞ୍ଜିଂ ରୁମ୍), ପର୍ଯ୍ୟାପ୍ତ ଆଲୋକୀକରଣ, ପାନୀୟ ଜଳ, ପରିମଳ ଓ ଡଷ୍ଟବିନ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷ ସହର ତଥା ଆଖପାଖ ଅଞ୍ଚଳର ୯ଟି ପ୍ରମୁଖ ସ୍ଥାନ ଯଥା— ଇବ୍ ନଦୀ ତାଳପଟିଆ ଘାଟ, ଗୋଶାଳା ରୋଡ଼୍ ନୂଆ ତଲାବ, ବୁଢ଼ାରମାଲ କଳା ତଲାବ, ଚୌକିପଡ଼ା ପୋଖରୀ, ବେହେରାପାଟ ଚୌକ ପୋଖରୀ, ଇବ୍ ନଦୀ ବଡ଼ଘାଟ, ବିଟିଏମ୍ ପୋଖରୀ, ବାବୁଆ ବଗିଚା ଏବଂ ସରାବାହାଲ ପୋଖରୀରେ ଛଠ୍ ପୂଜା ମହାଆଡ଼ମ୍ବରରେ ପାଳନ କରାଯିବ। ଏହିସବୁ ଘାଟଗୁଡ଼ିକରେ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଇଦେବା ପାଇଁ ବେଦାନ୍ତ, ଓଏମ୍‌ପିଏଲ୍, ରୁଙ୍ଗଟା ଏବଂ ଟିପିଏସ୍‌ଏଲ୍ ଭଳି ସ୍ଥାନୀୟ ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଘାଟ ପରିସରରେ ଯେପରି କାଚ ବୋତଲ, ପ୍ଲାଷ୍ଟିକ୍ କିମ୍ବା କୌଣସି ଆବର୍ଜନା ପଡ଼ି ଶ୍ରଦ୍ଧାଳୁ ତଥା ମହିଳା ବ୍ରତଧାରୀଙ୍କ ପାଇଁ ଅସୁବିଧା ସୃଷ୍ଟି ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଶିଳ୍ପ ପ୍ରତିନିଧିମାନଙ୍କୁ କୁହାଯାଇଛି।

ବୈଠକରେ ବିଧାୟକ ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ, ନଭେମ୍ବର ୧୫ ଓ ୧୬ ତାରିଖରେ ଛଠ୍ ପୂଜା ସମାପନ ହେବା ପରେ ପରେ କାର୍ତ୍ତିକ ପୂଜା ଆରମ୍ଭ ହେଉଥିବାରୁ ନଭେମ୍ବର ୧୭ ତାରିଖରେ ସମସ୍ତ ପୂଜା କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ତଥା ସ୍ଥାନୀୟ ନାଗରିକମାନେ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସି ଘାଟଗୁଡ଼ିକର ପୁନଃ ସଫେଇ ଅଭିଯାନରେ ସାମିଲ ହେବା ଆବଶ୍ୟକ। ଏହାସହ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ ପୂଜା ସମୟରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ଓ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୋନାଲୀ ସିଂହ ପରମାର ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକା ନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ପଦାଧିକାରୀ, ବିଭିନ୍ନ କମ୍ପାନୀର ବରିଷ୍ଠ ପ୍ରତିନିଧି ଏବଂ ଛଠ୍ ପୂଜା ସେବା ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.