ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ଓ ମୁରସୁ ମୁକାବିଲା ପାଇଁ ଇଙ୍ଗିନାଠିରେ ଜଗତସିଂହପୁର ଏଡିଏମ୍;ବନ୍ୟାଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା;

9

ପାନୀୟ ଜଳ ବିଶୋଧନ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ବେଲଗୁଣ୍ଠା, ୨/୧୧:-(ଶିବରାମ ଚୌଧୁରୀ )-ଅର୍ଣ୍ଣବ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ବେଲଗୁଣ୍ଠା ବ୍ଲକ୍‌ର ସର୍ବାଧିକ କ୍ଷତିଗ୍ରସ୍ତ ଇଙ୍ଗିନାଠି ପଞ୍ଚାୟତର ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ଭାବ୍ୟ ମୁରସୁ ବାତ୍ୟାର ମୁକାବିଲା ପାଇଁ ରବିବାର ଜଗତସିଂହପୁର ଏଡିଏମ୍ ତଥା ଭଞ୍ଜନଗରର ପୂର୍ବତନ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଇଙ୍ଗିନାଠି ଗସ୍ତ କରିଛନ୍ତି। ତାଙ୍କ ସହ ଭବାନୀପାଟଣା ତହସିଲଦାର କ୍ଷୀରୋଦ ବିହାରୀ ନାଗ ମଧ୍ୟ ଆସିଥିଲେ। ବେଲଗୁଣ୍ଠାରେ ପହଞ୍ଚି ବିଡିଓ ସିଙ୍ଗପୁରମ୍ ହରି ଓ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସହ ଆଲୋଚନା ପରେ ସେମାନେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।ଦିନତମାମ ଇଙ୍ଗିନାଠି, ମନ୍ଦାର, ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଗ୍ରାମ ସମେତ ମନ୍ଦାରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଭିନ୍ନ ନଦୀନାଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଗୋଖାଦ୍ୟର ବଣ୍ଟନ ଓ ଉପଲବ୍ଧତା ତଦାରଖ କରିବା ସହ ମୁରସୁ ପ୍ରଭାବରେ ପୁଣି ବର୍ଷା ହେଲେ କିପରି ମୁକାବିଲା କରାଯିବ, ସେନେଇ ଆଲୋଚନା କରିଥିଲେ। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ସେମାନଙ୍କ ପାଇଁ ଦୁଇ ଓଳା ରନ୍ଧାଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଆଜି ଏହି ପଂଚାୟତରେ ବ୍ଲକ ଉପାଧ୍ୟଖ୍ୟା ପ୍ରତିନିଧି ପ୍ରମୋଦ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ l ଅର୍ଣ୍ଣବ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ପ୍ରଭାବିତଙ୍କୁ ନିୟମାନୁସାରେ ସହାୟତା ମିଳିବ ବୋଲି ଜଣାପଡ଼ିଛି।ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଓ ଜଳବାହିତ ରୋଗର ମୁକାବିଲା ପାଇଁ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଦର୍ଶିକା ତପସ୍ୱିନୀ ମହାନ୍ତିଙ୍କ ନେତୃତ୍ୱରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ଯାଇ ଓ ଆର ଏସ,ବ୍ଲିଚିଂ ପାଉଡର ବଣ୍ଟନ କରିବା ସହ କୂଅ ବିଶୋଧନ ଏବଂ ହାଲୋଜେନ୍ ବଟିକା ପକାଇ ପାଣି ବ୍ୟବହାର କରିବାକୁ ସଚେତନ କରୁଛନ୍ତି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଉଛି।ବନ୍ୟାଜଳ ପଶି ଇଙ୍ଗିନାଠି ଉପସ୍ୱାସ୍ଥ୍ୟକେନ୍ଦ୍ରର ଯନ୍ତ୍ରପାତି, ଆସବାବପତ୍ର ଓ କାଗଜପତ୍ର ନଷ୍ଟ ହୋଇଥିବାରୁ ସେଠାରେ ନିୟମିତ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇନାହିଁ। ତେଣୁ ବିଭିନ୍ନ ବାରଣ୍ଡା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟାଳୟ ଖୋଲାଯାଇ ସ୍ୱାସ୍ଥ୍ୟସେବା ଜାରି ରହିଥିବା ସି ଏଚ ଓ ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.