ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ, ଦୁଇ ବିଧାୟକଙ୍କୁ ଟାର୍ଗେଟ୍

10

ରାଉରକେଲା, ୧୬/୧୦, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅନିୟମିତତା ଓ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଆଣି ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର କୁମାର ଦାସ। ଶୁକ୍ରବାର ରାଉରକେଲାର ହୋଟେଲ ରାଧିକା ରିଜେନ୍ସିଠାରେ ଏନ୍ଏସ୍‌ୟୁଆଇ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଅଭିଯୋଗ ଆଣିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, ଦୀର୍ଘ ୮ ବର୍ଷ ଧରି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବା ପରେ ଚଳିତ ବର୍ଷ ତରବରିଆ ଭାବେ ନିର୍ବାଚନ କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପ୍ରଚାର କରିବାକୁ ଯଥେଷ୍ଟ ସମୟ ପାଇନଥିଲେ। ଏଥିସହ କେତେକ ନିର୍ବାଚନୀ ନିୟମ ଛାତ୍ରଛାତ୍ରୀଙ୍କ ପ୍ରାର୍ଥିତ୍ୱକୁ ପ୍ରଭାବିତ କରିଥିବା ସେ ଅଭିଯୋଗ କରିଛନ୍ତି।

ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ଏବିଭିପିର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଜଣେ ଅଧ୍ୟାପିକା ଛାତ୍ରୀମାନଙ୍କୁ ଏବିଭିପି ସପକ୍ଷରେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏହା ପ୍ରକୃତ ନିର୍ବାଚନ ନୁହେଁ, ବରଂ ଏକ ପ୍ରକାର ଚୟନ ପ୍ରକ୍ରିୟା ବୋଲି ଶ୍ରୀ ଦାସ ମତ ଦେଇଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଜୟ ପଛରେ ରାଜନୈତିକ ପ୍ରଭାବ ଓ ଅନିୟମିତତା ରହିଛି। ଅନ୍ୟପକ୍ଷରେ, ଦେଓଗାଁସ୍ଥିତ ଗାନ୍ଧୀ ମହାବିଦ୍ୟାଳୟ ଓ ବେଦବ୍ୟାସ ମହାବିଦ୍ୟାଳୟରେ ଛାତ୍ର ସଂଗଠନଗୁଡ଼ିକର ପ୍ରାର୍ଥୀ ନଥିବାରୁ ନିର୍ବାଚନ ସ୍ଥଗିତ ରହିଥିବା ସେ କହିଛନ୍ତି।

ଏହି ନିର୍ବାଚନରେ ହୋଇଥିବା ଅନିୟମିତତା ବିରୋଧରେ ଏନ୍ଏସ୍‌ୟୁଆଇ ଆବଶ୍ୟକ ପଡ଼ିଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜ୍ଞାନେନ୍ଦ୍ର କୁମାର ଦାସଙ୍କ ସହ ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ସୁନୀଲ ନାଏକ, ରାଉରକେଲା ଇଭିନିଂ କଲେଜ ଛାତ୍ର ସଂସଦ ସଭାପତି ସୁନୀଲ ପଣ୍ଡାଙ୍କ ସମେତ ଏନ୍ଏସ୍‌ୟୁଆଇର ବହୁ ଛାତ୍ରଛାତ୍ରୀ ଓ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.