ଦଶ ଦଫା ଦାବି ନେଇ ବଡ଼ବିଲ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

23

କେନ୍ଦୁଝର,ତା୧୬/୧୦-କେନ୍ଦୁଝର ଜିଲ୍ଲାର ଖଣିଖାଦାନ ଭରା ଅଞ୍ଚଳରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗ୍ରାମବାସୀ। କେଉଁଠି ଘରଡିହ ପଟ୍ଟାର ସମସ୍ୟା ତ ଆଉ କେଉଁଠି ପାନୀୟ ଜଳ, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ରୋଜଗାରର ଅଭାବ। ଏଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏବେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
ଅଲ୍ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା (AIKMKS), ଯୋଡ଼ା ବ୍ଲକ କମିଟି ପକ୍ଷରୁ ବଡ଼ବିଲ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଦଶ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବଳଦା, ପଳସା ସମେତ ଚଡ଼କମରା, ବି ପ୍ଲଟ୍, ରାଇରତନପୁର, କୁଣ୍ଡାପୋଷି, ଉଁଚାବାଲି, ବାମେବାରୀ, ରାଜେନ ବସ୍ତି ଓ ଜଗନ୍ନାଥ ବସ୍ତି ଆଦି ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ଦାବିପତ୍ର ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ ଘରଡିହ ପଟ୍ଟା ନଥିବା ପରିବାରଙ୍କୁ ପଟ୍ଟା ପ୍ରଦାନ, ଜଙ୍ଗଲ ଜମିର ଅଧିକାର ପଟ୍ଟା, ପାନୀୟ ଜଳ ଓ ବିଜୁଳି ଯୋଗାଣ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସହ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ଭଳି ଦାବି ରହିଛି।
ସେହିପରି ଦାଦନ ଶ୍ରମିକ ସମସ୍ୟାର ସମାଧାନ, ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇବା, ସର୍ବନିମ୍ନ ଦୈନିକ ମଜୁରି ୫୦୦ ଟଙ୍କା କରିବା ଏବଂ ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥ ସ୍ଥାନୀୟ ଅଞ୍ଚଳର ବିକାଶରେ ବିନିଯୋଗ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ରାଜ୍ୟ ସଦସ୍ୟ ବାସୁଦେବ ଦାସ, ବ୍ଲକ ସଦସ୍ୟ ପାଣ୍ଡୁ ଚାମ୍ପିଆ, ଲଳିତା ଚାମ୍ପିଆ, ମୁକ୍ତା ମାଝୀ, ରାଜେଶ ମୁଣ୍ଡା ଓ ବୁଲାର ମୁଣ୍ଡା ଉପସ୍ଥିତ ରହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଖଣିଜ ସମ୍ପଦରେ ସମୃଦ୍ଧ ଏହି ଅଞ୍ଚଳର ଲୋକେ କେବେ ପାଇବେ ମୌଳିକ ସୁବିଧା? ଗ୍ରାମବାସୀଙ୍କ ଦଶ ଦଫା ଦାବି ଉପରେ ପ୍ରଶାସନ କେବେ ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave A Reply

Your email address will not be published.