ରାଉରକେଲା, ୧୬ ଅକ୍ଟୋବର, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି ସହ ଛାତ୍ରୀମାନଙ୍କୁ ସହଜରେ ସ୍ୱଚ୍ଛତା ସାମଗ୍ରୀ ଉପଲବ୍ଧ କରାଇବା ଲକ୍ଷ୍ୟରେ ଏନ୍ଆଇଟି ରାଉରକେଲା ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠାନର ନୂତନ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର (ଏସ୍ଏସି) ଏବଂ ଶଙ୍ଖ ବ୍ଲକ୍ରେ ପ୍ରଥମ ପର୍ଯ୍ୟାୟରେ ଋତୁସ୍ରାବ ସମ୍ବନ୍ଧୀୟ ସାମଗ୍ରୀ ଯୋଗାଣ ପାଇଁ ଦୁଇଟି ଭେଣ୍ଡିଂ ମେସିନ୍ ସ୍ଥାପନ କରାଯାଇଛି। ବାରାଣସୀସ୍ଥିତ ଋତାଶ୍ରମ ଟ୍ରଷ୍ଟ ପକ୍ଷରୁ ଏହି ମେସିନ୍ଗୁଡ଼ିକ ଦାନ କରାଯାଇଥିବାବେଳେ ଏକ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀର ପୁନଃଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।
୧୯୯୯ ମସିହାରୁ କାର୍ଯ୍ୟରତ ଋତାଶ୍ରମ ଟ୍ରଷ୍ଟ ନିଜର ‘ପହୁଞ୍ଚ’ (PAHUNCH) ଅଭିଯାନ ଅଧୀନରେ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଭେଣ୍ଡିଂ ମେସିନ୍ ସ୍ଥାପନ କରି ଋତୁସ୍ରାବ ସ୍ୱଚ୍ଛତା ସାମଗ୍ରୀର ସୁଲଭ ଉପଲବ୍ଧତା ଦିଗରେ କାର୍ଯ୍ୟ କରୁଛି।
ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଏହି ମେସିନ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍ଆଇଟି ରାଉରକେଲାର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ପି. ନୀରଜା, ଋତାଶ୍ରମ ଟ୍ରଷ୍ଟର ଟ୍ରଷ୍ଟି ଡ. କୌଶଳ ପତି ତ୍ରିପାଠୀ, ଏନ୍ଆଇଟିର କୁଳସଚିବ ପ୍ରଫେସର ରୋହନ ଧିମାନ, ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ରାଜୀବ କୁମାର ପଣ୍ଡା, ଏସ୍ଏସିର ସଭାପତି ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ, ଉପସଭାପତି, ଅଧ୍ୟାପକ ଓ ଏସ୍ଏସିର ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଏସ୍ଏସି, ଏନ୍ଆଇଟି ରାଉରକେଲା ପକ୍ଷରୁ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ଏକ ସଚେତନତା ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟକର ଅଭ୍ୟାସ ଅନୁସରଣ, ଏହାକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ସାମାଜିକ ସଙ୍କୋଚ ଦୂର କରିବା ସହ ଏହି ବିଷୟରେ ଖୋଲାଖୋଲି ଆଲୋଚନାକୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏନ୍ଆଇଟି ରାଉରକେଲା ଓ ଋତାଶ୍ରମ ଟ୍ରଷ୍ଟର ଏହି ମିଳିତ ପଦକ୍ଷେପ କ୍ୟାମ୍ପସ୍ରେ ଋତୁସ୍ରାବ ସମ୍ପର୍କିତ ସଚେତନତା ବୃଦ୍ଧି, ସ୍ୱଚ୍ଛତା ସାମଗ୍ରୀର ସହଜ ଉପଲବ୍ଧତା ଏବଂ ଏକ ସୁସ୍ଥ ଓ ସମାବେଶୀ ଶିକ୍ଷା ପରିବେଶ ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମକୁ ଏନ୍ଆଇଟି ରାଉରକେଲାର ଆସୋସିଏଟ୍ ଡିନ୍ (ଏସ୍ଆର୍) ପ୍ରଫେସର ମଧୁରେଶ ଦ୍ୱିବେଦୀ ସଂଯୋଜନା କରିଥିଲେ।