କୋଲାବିରାରେ ବିଜେପିକୁ ବଳ, ଶତାଧିକ ମହିଳା ଓ ପୁରୁଷଙ୍କ ଦଳରେ ଯୋଗଦାନ

8


ଝାରସୁଗୁଡ଼ା, ୧୨: ଝାରସୁଗୁଡ଼ା ସହରର ବିଟିଏମ୍ ସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କୋଲାବିରା ବ୍ଲକ୍‌ର କେଲ୍ଡାମାଲ୍ ପଞ୍ଚାୟତ ଅନ୍ତର୍ଗତ ବରହାମୁଣ୍ଡା, ପାନୁ ମୁଣ୍ଡା, ଝୁନାପାଲି, ଅଇଁଲାମାଳ ଓ କେଲେଡ଼ାମାଳ ଆଦି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିଜେପିରେ ସାମିଲ ହୋଇଛନ୍ତି।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନୂତନ ସଦସ୍ୟମାନେ ଦଳର ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ। ଦଳୀୟ ନେତା ଓ କର୍ମକର୍ତ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ସେନ୍ ରାୟ, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସ, ସଞ୍ଜୟ ପୂଜାରୀ, କୁଲଦୀପ ପଟ୍ଟନାୟକ, ଲିଙ୍କନ ତୋଣ୍ଡକର, ପ୍ରତିଭା ବେହେରା, ନୀଳିମା କିଷାନ ଓ ଯୁଧିଷ୍ଠିର ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଦଳରେ ଯୋଗଦେଇଥିବା ନୂତନ ସଦସ୍ୟମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରେମ, ଜନକଲ୍ୟାଣକାରୀ ଯୋଜନା ଓ ସମର୍ପଣ ଭାବନା ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସରଳ ବ୍ୟକ୍ତିତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗଦେଇଛନ୍ତି।

ବିଧାୟକ ଟଙ୍କଧର ତ୍ରିପାଠୀ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ସେ କହିଥିଲେ ଯେ, ଏହି ଯୋଗଦାନ ଫଳରେ କୋଲାବିରା ବ୍ଲକ୍ ସମେତ ସମଗ୍ର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେପିର ସଂଗଠନ ଆହୁରି ମଜଭୁତ ହେବ। ଏଥିସହ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତି ମିଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନୂତନ ସଦସ୍ୟଙ୍କ ଯୋଗଦାନକୁ ଦଳୀୟ କର୍ମକର୍ତ୍ତାମାନେ ସ୍ୱାଗତ କରିଥିଲେ।

Leave A Reply

Your email address will not be published.