ପାରମ୍ପରିକ ବେଶଭୂଷା ଓ ସାଂସ୍କୃତିକ ପରିବେଷଣରେ ଉତ୍ସବମୁଖର ହେଲା ବିଦ୍ୟାଳୟ ପରିସର
ଝାରସୁଗୁଡ଼ା ୧୬:ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଶାରଦୀୟ ପାର୍ବଣ ଆସର ଆନନ୍ଦ, ଉଲ୍ଲାସ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଶାରଦୀୟ ସାଜସଜ୍ଜା ଓ ଛାତ୍ରଛାତ୍ରୀଙ୍କ ପାରମ୍ପରିକ ବେଶଭୂଷାରେ ବେଶ ଆକର୍ଷଣୀୟ ହୋଇଥିଲା । ଶାରଦୀୟ ଦୁର୍ଗାପୂଜା ଓ ବିଜୟାଦଶମୀର ମହତ୍ତ୍ୱକୁ ପରିସ୍ଫୁଟନ କରିବା ସହ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନବୋଧ ଜାଗ୍ରତ କରିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱ କରି ଆୟୋଜିତ ଏହି ପାର୍ବଣ ଆସରର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ତଥା ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ଜୀବନରେ ଆପଣାଇବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଉତ୍ସବର ଶୋଭା ବୃଦ୍ଧି କରିବା ସାଙ୍ଗକୁ ଦଳଗତ ଗରବା ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ସମାବେଶ ଓ ସାମୂହିକ ଅଂଶଗ୍ରହଣ ଉତ୍ସବକୁ ଏକ ନିଆରା ରୂପ ପ୍ରଦାନ କରିଥିଲା।

ଅଧ୍ୟକ୍ଷ ଶ୍ରୀ ଦେବତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସମସ୍ତଙ୍କୁ ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ପବିତ୍ର ଦଶହରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଆଣିବା ସହ ପାରସ୍ପରିକ ସ୍ନେହ, ସହଯୋଗ ଓ ସଦଭାବନାକୁ ସୁଦୃଢ଼ କରୁ ବୋଲି କାମନା କରିଥିଲେ। ଶାରଦୀୟ ପାର୍ବଣ ବିଦ୍ୟାଳୟର ଶୁଭେଚ୍ଛୁଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମୂହିକ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରସାର କରିଥିଲା। ସୁନନ୍ଦା ପ୍ରହରାଜ, ସବିତା ଧଳ, ଅଞ୍ଜଳି ବାଲସୁବ୍ରମଣ୍ୟମ, ସଙ୍ଗୀତା ସିହ୍ନା, ରିଙ୍କୁ ଶର୍ମା, ଉମା ସିଂ ଚନ୍ଦେଲ, ସ୍ମିତା ସାହୁ ପ୍ରମୁଖ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।