ପ୍ରଶାସନ ଓ ପୋଲିସର ଭୂମିକା ଉପରେ ଯୁବ ଛାତ୍ର ବିଜେଡିର ପ୍ରଶ୍ନ, ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡ଼ା, ୧୫: ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହଠାତ୍ ବାତିଲ ହେବାକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ନିର୍ବାଚନ ବାତିଲ ପଛରେ କାହାର ଚାପ ରହିଛି, ତାହାକୁ ନେଇ ଗୁରୁବାର ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ପ୍ରଶାସନ, ସ୍ଥାନୀୟ ବିଧାୟକ ଓ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଛି।
ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ଯେ, ଛାତ୍ରସଂସଦ ନିର୍ବାଚନ ପାଇଁ ଛାତ୍ରଛାତ୍ରୀମାନେ ଦୀର୍ଘ ୧୦ ଦିନ ଧରି ପ୍ରସ୍ତୁତି ଓ ପ୍ରଚାରରେ ଲାଗିଥିଲେ। କିନ୍ତୁ ବୁଧବାର ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ହଠାତ୍ ନିର୍ବାଚନ ବାତିଲ ନିଷ୍ପତ୍ତି ନିଆଯିବା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ପ୍ରତି ଅବମାନନା ବୋଲି ସେ ମତ ଦେଇଛନ୍ତି। କୌଣସି ଚାପ କିମ୍ବା ଫୋନ୍ କଲ୍ର ପ୍ରଭାବରେ କଲେଜ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଛାତ୍ରସଂସଦ ସଭା ସମାପ୍ତ ହେବା ପରେ ବିରୋଧୀ ଗୋଷ୍ଠୀର କିଛି କର୍ମକର୍ତ୍ତା ପରାଜୟ ଭୟରେ ଟାୟାର ଜାଳି ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ରହିଛି। ଏହି ଘଟଣାରେ ପ୍ରଶାସନ କାହିଁକି ଏଭଳି ପଦକ୍ଷେପ ନେଲା, ତାହାର ସ୍ପଷ୍ଟୀକରଣ ଦାବି କରିଛି ଛାତ୍ର ବିଜେଡି।
ଖବରଦାତା ସମ୍ମିଳନୀରେ ଦଳ ପକ୍ଷରୁ ଆଉ କେତେକ ଗୁରୁତର ପ୍ରଶ୍ନ ଉଠାଯାଇଥିଲା। ସଭା ପରେ ଛାତ୍ରଛାତ୍ରୀମାନଙ୍କୁ କାହା ପୃଷ୍ଠପୋଷକତାରେ ବସ୍ ଯୋଗେ ସୁନ୍ଦରଗଡ଼ର ଏକ ପାଞ୍ଚତାରକା ହୋଟେଲକୁ ନିଆଯାଇଥିଲା, ତାହାର ଉତ୍ତର ଦାବି କରାଯାଇଛି। ଏଥିସହ ବରଗଡ଼ ଜିଲ୍ଲାରେ ରହୁଥିବା ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ବଳିଷ୍ଠ ପ୍ରଧାନଙ୍କ ପରିବାରକୁ କେତେକ ଅସାମାଜିକ ବ୍ୟକ୍ତି ରାତିରେ ଯାଇ ଧମକଚମକ ଦେଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଓ ପୋଲିସ ମଧ୍ୟରେ ସମନ୍ୱୟ ନାମରେ ଅନୁଚିତ ବୁଝାମଣା ଯୋଗୁଁ ନିର୍ବାଚନ ବାତିଲ ହୋଇଥିବା ଛାତ୍ର ବିଜେଡି ଅଭିଯୋଗ କରିଛି। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ଦଳ ମତ ରଖିଛି।
ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁମନ୍ତ ପଟେଲଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିବା ଜଣାପଡ଼ିଛି।
ଏହି ଖବରଦାତା ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ, କାଉନସିଲର ନବନୀତ କୌରଙ୍କ ସମେତ ଦଳର ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ।
ଛାତ୍ରସଂସଦ ନିର୍ବାଚନ ବାତିଲକୁ ନେଇ ଉଠିଥିବା ଏହି ବିବାଦ ଏବେ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଘଟଣାରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।