ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ ଉତ୍ସବ, ୧୯୭୬ ମସିହା ରଘୁନାଥ ବିଦ୍ୟାପୀଠର ୯୦ରୁ ଉର୍ଦ୍ଧ୍ବ ଛାତ୍ର ମିଳିତ

18


ପୁରୁଣା ଦିନର ସ୍ମୃତି ଓ ଦୁଷ୍ଟାମୀକୁ ମନେ ପକାଇ ପରିବାର ସଦସ୍ୟଙ୍କ ସହ ଖୁସି ମନାଇଲେ,


ଓଡ଼ଗାଁ, ୧୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲାର ଓଡ଼ଗାଁ ତଥା ବର୍ତ୍ତମାନର ଓଡ଼ଗାଁ ଏନ୍ଏସିରେ ଅବସ୍ଥିତ ରଘୁନାଥ ବିଦ୍ୟାପୀଠର ୧୯୭୬ ମସିହା ଏକାଦଶ ଶ୍ରେଣୀ ଛାତ୍ର ମାନେ ଦୀର୍ଘ ୫୦ ବର୍ଷ ପରେ ସ୍କୁଲ ପରିସରରେ ଏକାଠି ହୋଇଥିଲେ । ମନେ ପଡ଼ିଥିଲା ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତି, ସାଙ୍ଗସାଥୀଙ୍କ ସହ କରିଥିବା ଦୁଷ୍ଟାମୀ ଓ ଶିକ୍ଷକମାନଙ୍କ ସ୍ନେହଭରା ଶିକ୍ଷାଦାନ। ପୁରୁଣା ଦିନର ସେହି ସ୍ମୃତିକୁ ମନେ ପକାଇ ପରିବାରବର୍ଗଙ୍କ ସହ ଆନନ୍ଦ ଓ ଉତ୍ସାହରେ ସମୟ ବିତାଇଥିଲେ ୧୯୭୬ ମସିହାର ଏକାଦଶ ଶ୍ରେଣୀର ସେହି ପୁରାତନ ଛାତ୍ରମାନେ ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ ସମାରୋହ ଆୟୋଜିତ କରିଥିଲେ। ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରଘୁନାଥ ବିଦ୍ୟାପୀଠର ୧୯୭୬ ବ୍ୟାଚ୍‌ର ଛାତ୍ରମାନେ ଶିକ୍ଷାଜୀବନର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ମିଳନ ସମାରୋହରେ ଯୋଗଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ କମିଟିର ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କମିଟିର ଉପଦେଷ୍ଟା ତଥା ପୁରାତନ ଛାତ୍ର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ପଦାଧିକାରୀ ବ୍ରଜ କିଶୋର ଦାଶ ଯୋଗଦେଇ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି, ଶିକ୍ଷକମାନଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ ତଥା ସହପାଠୀଙ୍କ ମଧ୍ୟରେ ଆଜୀବନ ସମ୍ପର୍କ ଅତୁଟ ରହିବା କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ନାୟକ ପୁରାତନ ଛାତ୍ରମାନଙ୍କ ଭାବପ୍ରବଣତା ଓ ବିଦ୍ୟାଳୟ ପ୍ରତି ଥିବା ଗଭୀର ଭଲପାଇବାକୁ ପ୍ରଶଂସା କରିବା ସହ ସମସ୍ତଙ୍କ ଶୁଭକାମନା କରିଥିଲେ। ଏହି ଅବସରରେ ଓଡ଼ଗାଁରେ ରହୁଥିବା ଗୁରୁ ସୁରେନ୍ଦ୍ର ମହାରଣା ଓ ପିତବାସ ସାହୁ ଏବଂ ନୟାଗଡ଼ରେ ରହୁଥିବା ଶରତ ଚନ୍ଦ୍ର ରଥଙ୍କ ସମେତ ତତ୍କାଳୀନ ଶିକ୍ଷକମାନଙ୍କୁ ପୁରାତନ ଛାତ୍ରମାନେ ସମ୍ବର୍ଦ୍ଧିତ କରି ଗୁରୁକୃପା ଲାଭ କରିଥିଲେ। ବୟସର ଅପରାହ୍ଣରେ ମଧ୍ୟ ଗୁରୁ ସୁରେନ୍ଦ୍ର ମହାରଣାଙ୍କ ଓଡ଼ିଆ ଓ ଇଂରାଜୀ କବିତା ଆବୃତ୍ତି ଉପସ୍ଥିତ ପୁରାତନ ଛାତ୍ରମାନଙ୍କୁ ଶ୍ରେଣୀଗୃହରେ ବିତାଇଥିବା ସେହି ସ୍ମରଣୀୟ ଦିନଗୁଡ଼ିକୁ ମନେ ପକାଇ ଦେଇଥିଲା। ଏଥିସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁରାତନ ଛାତ୍ରମାନଙ୍କ ପତ୍ନୀମାନେ ସୁଲଳିତ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଏହାପରେ ସହପାଠୀମାନେ ପରସ୍ପର ମଧ୍ୟରେ ଅନୁଭୂତି ଓ ସ୍ମୃତିର ଆଦାନପ୍ରଦାନ କରିବା ସହ ବିଦ୍ୟାଳୟ ପ୍ରତି କୃତଜ୍ଞତା ଜଣାଇଥିଲେ। ସେତେ ବେଳର ଶିକ୍ଷକମାନଙ୍କ ମାର୍ଗଦର୍ଶନ, ଶିକ୍ଷା ଓ ପ୍ରେରଣା କିପରି ସେମାନଙ୍କ ଜୀବନ ଏବଂ ବ୍ୟକ୍ତିତ୍ୱ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସମାରୋହଟି ପୁରୁଣା ବନ୍ଧୁତାକୁ ନବୀକରଣ କରିବା ସହ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱକୁ ପୁଣିଥରେ ଉଜ୍ଜୀବିତ କରିଥିଲା। କମିଟିର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କରିଥିଲେ।

Leave A Reply

Your email address will not be published.