ମହାରାଜା ଅଗ୍ରସେନ ଜୀ ଥିଲେ ମାନବିକତାର ଦିଗଦର୍ଶକ – ଧର୍ମେନ୍ଦ୍ର ପ୍ରଧାନ
•ଅଗ୍ରସେନ ଜୟନ୍ତୀ ସମାରୋହ ସମିତି, ଖେତରାଜପୁର, ଦୁର୍ଗା ମଙ୍ଗଲମ, ଖେତରାଜପୁର ଏବଂ ମାରଓ୍ୱାଡି ଧର୍ମଶାଳା, ପୁରୁଣା ବସ୍ତି ଦ୍ୱାରା ଆୟୋଜିତ ଅଗ୍ରସେନ ଜୟନ୍ତୀ ସମାରୋହରେ ହେଲେ ସାମିଲ
•ସ୍ୱଚ୍ଛ ସମ୍ବଲପୁର ଗଠନ, ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଏବଂ କୁପୋଷଣ ଦୂରୀକରଣ ପାଇଁ ମହାରାଜା ଅଗ୍ରସେନଙ୍କ ଜୟନ୍ତୀରେ ସଂକଳ୍ପ ନେବାକୁ ଆହ୍ୱାନ
•ସମାଜ ପାଇଁ ଆମ ସମସ୍ତଙ୍କର ଏକ ବଡ଼ ଉତ୍ତରଦାୟିତ୍ୱ ରହିଛି, ଆମକୁ ସମୂହ ତଥା ସମୁଦାୟ ପାଇଁ ବଞ୍ଚିବାକୁ ହେବ
ସମ୍ବଲପୁର, ୧୧ ଅକ୍ଟୋବର ୨୦୨୬ – ମହାନ ପୁରୁଷ ମହାରାଜା ଅଗ୍ରସେନ ଜୀ ଥିଲେ ସାମାଜିକ ସମାନତାର ପ୍ରତୀକ ତଥା ମାନବିକତାର ଦିଗଦର୍ଶକ । ସେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସମାଜ ବା ଶ୍ରେଣୀର ମୁଖ୍ୟ ନଥିଲେ; ସେ ଥିଲେ ସମଗ୍ର ମାନବଜାତି ପାଇଁ ସାମାଜିକ ନ୍ୟାୟ, ଅହିଂସା, ସତ୍ୟ, ବାଣିଜ୍ୟିକ ସମୃଦ୍ଧି ଏବଂ ଭାଇଚାରାର ଏକ ଚିରନ୍ତନ ପ୍ରତୀକ । ଶାନ୍ତି, ସମୃଦ୍ଧି ଏବଂ ସମାନତା ଉପରେ ଆଧାରିତ ଏକ ଆଦର୍ଶ ସମାଜ ପ୍ରତିଷ୍ଠା କରିବା ପାଇଁ ସେ ଯେଉଁ ମାର୍ଗ ଦେଖାଇଥିଲେ, ତାହା ଆଜି ବି ବିଶ୍ୱ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି କହିଛନ୍ତି ସମ୍ବଲପୁରର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରରେ ଅଗ୍ରସେନ ଜୟନ୍ତୀ ସମିତି, ଖେତରାଜପୁର, ଦୁର୍ଗା ମଙ୍ଗଲମ, ଖେତରାଜପୁର ଏବଂ ମାରଓ୍ୱାଡି ଧର୍ମଶାଳା, ପୁରୁଣା ବସ୍ତି ଦ୍ୱାରା ଆୟୋଜିତ ପୃଥକ ମହାରାଜା ଅଗ୍ରସେନ ଜୀଙ୍କ ପବିତ୍ର ଜୟନ୍ତୀ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ ଅଗ୍ରସେନ ଜୀଙ୍କୁ ପ୍ରଣାମ ଜଣାଇଥିଲେ । ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ସମାଜ ପାଇଁ ଆମ ସମସ୍ତଙ୍କର ଏକ ବଡ଼ ଉତ୍ତରଦାୟିତ୍ୱ ରହିଛି । ଆମକୁ ସମୂହ ତଥା ସମୁଦାୟ ପାଇଁ ବଞ୍ଚିବାକୁ ହେବ । ଘରର ପରମ୍ପରା ପରି ସମାଜ ପ୍ରତି ମଧ୍ୟ ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ରହିଛି । ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ ଗତକାଲି ସ୍ୱଚ୍ଛତା ଅଭିଯାନରେ ସମ୍ବଲପୁର ଦେଶରେ ଏକ ନୂଆ ଇତିହାସ ରଚିଛି । ୫୦୦ରୁ ଅଧିକ ସ୍ଥାନରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ, ସବୁ ବର୍ଗର ଲୋକ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିଛନ୍ତି। ଏହା ହିଁ ନାଗରିକ ଦାୟିତ୍ୱର ଶ୍ରେଷ୍ଠ ଉଦାହରଣ ।

ଏହି ପରିପ୍ରେକ୍ଷୀରେ ମହାରାଜା ଅଗ୍ରସେନ ଜୀଙ୍କ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁରବାସୀଙ୍କୁ ଆହ୍ୱାନ ଦେଇ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ କମ୍ କରିବା, ନବଜାତ ଶିଶୁ ଏବଂ ମା’ମାନଙ୍କ ପୋଷଣ ଉପରେ ବିଶେଷ ଧ୍ୟାନ ଦେବା ପାଇଁ କହିଛନ୍ତି । ସାମାଜିକ ସଂକଳ୍ପଗୁଡ଼ିକୁ ଆପଣାଇବା ହିଁ ମହାରାଜା ଅଗ୍ରସେନ ଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଥିଲେ ।ବିଗତ ୧୨ ବର୍ଷ ଧରି ସାରା ଦେଶ ଭ୍ରମଣ କରିବାର ଅନୁଭୂତି ସେୟାର କରିବା ସହ ଶ୍ରୀ ପ୍ରଧାନ କହିଥିଲେ ଯେ, ବିଗତ ଅଢ଼େଇ ବର୍ଷ ଧରି ସମ୍ବଲପୁରର ସାଂସଦ ଭାବେ ସେବା କରିବା ତାଙ୍କ ପାଇଁ ପରମ ସୌଭାଗ୍ୟର ବିଷୟ। ସମ୍ବଲପୁରର ବିକାଶ ହେଲେ ହିଁ ଓଡ଼ିଶା ଆଗେଇବ ଏବଂ ଓଡ଼ିଶାର ପ୍ରଗତି ହେଲେ ହିଁ ଭାରତ ବୃଦ୍ଧି ପାଇବ । ଶେଷରେ ଶ୍ରୀ ପ୍ରଧାନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆଗାମୀ ପବିତ୍ର ଦଶହରା ଏବଂ ଦୀପାବଳିର ଅଗ୍ରୀମ ଶୁଭେଚ୍ଛା ଜଣାଇଥିଲେ ।