ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଭ୍ରମାତ୍ମକ ମନ୍ତବ୍ୟ ଦେଉଛନ୍ତି: ନରସିଂହ

40

ଜମି ଫେରାଇବାର ବ୍ୟବସ୍ଥା କରନ୍ତୁ, ନଚେତ୍ ଇସ୍ତଫା ଦିଅନ୍ତୁ: ପୂର୍ବତନ ଆଇନମନ୍ତ୍ରୀ

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ପ୍ରସଙ୍ଗକୁ ନେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର। ଯଦି ରାଜେନ୍ଦ୍ର କଲେଜକୁ ପ୍ରଦାନ କରାଯାଇଥିବା ଜମିରୁ କିଛି ଅଂଶ ହଡ଼ପ ହୋଇଛି, ତେବେ ତାହାର ତଦନ୍ତ କରି ଜମି ଫେରାଇ ଆଣିବାକୁ ସେ ଦାବି କରିଛନ୍ତି। ଏଥିସହ ଜମି ଫେରାଇବାରେ ଅସମର୍ଥ ହେଲେ ଉପମୁଖ୍ୟମନ୍ତ୍ରୀ ନିଜର ଅପାରଗତା ସ୍ୱୀକାର କରି ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ ଆହ୍ୱାନ ଦେଇଛନ୍ତି।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରାୟ ୮୨ ବର୍ଷ ପୂର୍ବେ ରାଜେନ୍ଦ୍ର କଲେଜକୁ ୨୦୦ ଏକର ଜମି ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ଉକ୍ତ ୨୦୦ ଏକର ଜମି ମଧ୍ୟରୁ ମାତ୍ର ୫୬ ଏକର ଜମି ଶିକ୍ଷାନୁଷ୍ଠାନ ନାମରେ ଥିବା ସେ ଉଲ୍ଲେଖ କରିଥିଲେ।

ଏହି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ବଲାଙ୍ଗୀର ଜିଲ୍ଲାରୁ ରାଜନୈତିକ ପ୍ରତିନିଧିତ୍ୱ କରିବା ସହ ବିଭିନ୍ନ ସମୟରେ ବିଧାୟକ ଓ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ସେ ରାଜ୍ୟ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ଏପରି ସ୍ଥିତିରେ ଯଦି ପ୍ରକୃତରେ ଜମି ହଡ଼ପ ହୋଇଛି, ତେବେ ତାହାର ତଦନ୍ତ କରି ଜମି ଫେରାଇ ଆଣିବାରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ରାଜେନ୍ଦ୍ର କଲେଜକୁ ୨୦୦ ଏକର ଜମି ପ୍ରଦାନ କରାଯାଇଥିବା ନେଇ ଯଦି କୌଣସି ସରକାରୀ ଦଲିଲ କିମ୍ବା ପ୍ରମାଣ ରହିଛି, ତେବେ ବଲାଙ୍ଗୀର ଜିଲ୍ଲାର ଛାତ୍ରସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ। ଯଦି ଦଲିଲ ଉପଲବ୍ଧ ନାହିଁ, ତେବେ ଜମି ସମ୍ପର୍କିତ ରେକର୍ଡର ଅନୁସନ୍ଧାନ କରି ପ୍ରକୃତ ତଥ୍ୟ ଜିଲ୍ଲାବାସୀଙ୍କ ସମ୍ମୁଖରେ ରଖାଯାଉ।

ଏହି ଜମି ପ୍ରସଙ୍ଗକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଥିବା ଉଲ୍ଲେଖ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ସରକାରରେ ରହି ଉପମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଦ୍ୱାରା ଛାତ୍ରସମାଜ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି ବୋଲି ଲୋକେ ଆଲୋଚନା କରୁଛନ୍ତି।

ତେଣୁ ରାଜେନ୍ଦ୍ର କଲେଜକୁ ଜମି ପ୍ରଦାନ କରାଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ସହ ଜମିର ସ୍ଥିତି ସ୍ପଷ୍ଟ କରାଯାଉ। ଯଦି ଜମି ଅନ୍ୟତ୍ର ଚାଲିଯାଇଛି, ତେବେ ତାହାକୁ ବିଶ୍ୱବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ନଚେତ୍ ନିଜର ଅପାରଗତା ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି।

Leave A Reply

Your email address will not be published.