ଓଡ଼ଗାଁ, ୧୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିସ୍ଥିତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ ‘ଯୁଭେଣ୍ଟିକା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବାଲ୍ୟବିବାହ ନିରୋଧ ଓ ଜରୁରୀକାଳୀନ ପୁଲିସ ସହାୟତା ନମ୍ବର ୧୧୨ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଓଡ଼ଗାଁ ଆଦର୍ଶ ଥାନାର ସବ୍-ଇନ୍ସପେକ୍ଟର ଚକ୍ରଧର ସିଂହ, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଟିଟୁବାଳା ବେହେରା ଓ ମନୋରଞ୍ଜନ ପ୍ରଧାନ ଯୋଗଦେଇ ବାଲ୍ୟବିବାହର କୁପ୍ରଭାବ ଓ ଏହାର ଆଇନଗତ ପରିଣାମ ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ବାଲ୍ୟବିବାହ ଯୋଗୁଁ ଶିଶୁକନ୍ୟାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ଅବଗତ କରାଇବା ସହ ଏହି ସାମାଜିକ ବ୍ୟାଧିର ମୂଳୋତ୍ପାଟନ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏଥିସହ କୌଣସି ଜରୁରୀ ପରିସ୍ଥିତିରେ ତତ୍କାଳ ପୁଲିସ ସହାୟତା ପାଇବା ପାଇଁ ୧୧୨ ନମ୍ବରର ଉପଯୋଗିତା ଓ ଏହାର ବ୍ୟବହାର ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଓ ଜ୍ୟୋତିପ୍ରକାଶ ପ୍ରଧାନ ସହଯୋଗ କରିଥିଲେ। ଛାତ୍ରୀମାନଙ୍କୁ ବାଲ୍ୟବିବାହର କୁପରିଣାମ, ନିଜର ଅଧିକାର ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବା ସହ ବାଲ୍ୟବିବାହ ନିରାକରଣରେ ଛାତ୍ରୀ, ଅଭିଭାବକ ଓ ସମାଜର ସକ୍ରିୟ ଭୂମିକା ସୁନିଶ୍ଚିତ କରିବା ଏବଂ ଜରୁରୀ ସମୟରେ ୧୧୨ ନମ୍ବରର ସଠିକ୍ ଉପଯୋଗ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।