ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା

39

ପଦ୍ମପୁର :- ସୁନା ବିସ୍କୁଟ୍‌ ବିକ୍ରି ନାଁରେ ଠକେଇ ଓ ଲୁଟପାଟ୍‌ କରିବା ଅଭିଯୋଗରେ ମେଲ୍‌ଛାମୁଣ୍ଡା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କପାନି ଗ୍ରାମର ଦୁର୍ଯ୍ୟୋଧନ ତାଣ୍ଡି (୪୪), ପାଟଣାଗଡ଼ ଥାନା ବଡ଼ ବାବେଜୁରୀ ଗ୍ରାମର ରାଜୁ ରାୟ (୪୦) ଏବଂ ଖପ୍ରାଖୋଲ ଥାନା ମାଟିଖାଇ ଗ୍ରାମର ତପନ ଓରଫ୍ ତପନେଶ୍ୱର ବାଗ (୩୦)। ପୋଲିସ ସେମାନଙ୍କ ନିକଟରୁ ନଗଦ ୪୨,୦୦୦ ଟଙ୍କା, ସୁନା ପରି ଦିଶୁଥିବା କିଛି ପିତ୍ତଳ ଟୁକୁଡ଼ା ଏବଂ ଗୋଟିଏ ମୋଟରସାଇକେଲ୍ (OR 03 R 3080) ଜବତ କରିଛି।

ପୋଲିସ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ୍. ଡୁମ୍ବେରପାଲି ଗ୍ରାମର ରମେଶ ସାହୁ (୨୬)ଙ୍କୁ ପ୍ରାୟ ୭ ଦିନ ପୂର୍ବରୁ ଏକ ଅଜଣା ମୋବାଇଲ ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜ ପାଖରେ ବିକ୍ରି ପାଇଁ ସୁନା ବିସ୍କୁଟ୍‌ ଅଛି ଏବଂ ତାହାର ଦାମ୍ ୪ ଲକ୍ଷ ଟଙ୍କା ବୋଲି କହିଥିଲେ। ରମେଶ ଏହାକୁ କିଣିବାକୁ ରାଜି ହୋଇ ଟଙ୍କା ଯୋଗାଡ଼ କରିବା ପାଇଁ କିଛି ସମୟ ମାଗିଥିଲେ। ଗତ ୧୦.୧୦.୨୦୨୬ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଅଭିଯୁକ୍ତମାନେ ରମେଶଙ୍କୁ ପୁଣି ଫୋନ୍ କରି ମେଲ୍‌ଛାମୁଣ୍ଡା ଥାନା ଅଧୀନସ୍ଥ ଦୁବୁଲାବାହାଲ ଛକ ନିକଟକୁ ଡାକିଥିଲେ। ରମେଶ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଇକ୍‌ରେ ଆସିଥିବା ୩ ଜଣ ବ୍ୟକ୍ତି ତାଙ୍କୁ ସୁନା ଭଳି ଦିଶୁଥିବା ଦୁଇଟି ବିସ୍କୁଟ୍ ଆକୃତିର ପଦାର୍ଥ ଦେଖାଇଥିଲେ। ତେବେ ତାହା ନକଲି ବୋଲି ସନ୍ଦେହ ହେବାରୁ ରମେଶ ସେମାନଙ୍କର ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ରମେଶଙ୍କୁ ମାରପିଟ୍ କରିବା ସହ ତାଙ୍କ ପାଖରେ ଥିବା ୪୨,୦୦୦ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।ଏନେଇ ରମେଶ ସାହୁ ମେଲ୍‌ଛାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ମାମଲା (କେସ୍ ନଂ- ୨୨୦, U/S 318(4)/309(4)/111(2)(b) BNS) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ପୋଲିସର ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତ ଦୁର୍ଯ୍ୟୋଧନ ତାଣ୍ଡି ଏବଂ ରାଜୁ ରାୟ ପୂର୍ବରୁ ମଧ୍ୟ ପାଇକମାଳ ଥାନା କେସ୍ ନଂ- ୧୫୯/୨୦୨୦ (IPC ୪୨୦/୪୦୬/୩୪) ରେ ଜଡ଼ିତ ଅଛନ୍ତି।

Leave A Reply

Your email address will not be published.