ସଭାପତି ପଦ ପାଇଁ ମଳୟ ଓ ରାକେଶଙ୍କ ମଧ୍ୟରେ ହେବ ଲଢ଼େଇ
ଓଡ଼ଗାଁ, ୧୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ଶନିବାର ୪ଟି ଅଭିଯୋଗର ତଦନ୍ତ ପରେ ସନ୍ଧ୍ୟା ୬ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ତଦନ୍ତ ପରେ ଚୂଡ଼ାନ୍ତ ତାଲିକା କାଏମ ରହିଥିବା ବେଳେ ଉପସଭାପତି ପଦରେ ରୋଜିନା ସାମଲ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ସଭାପତି ପଦ ପାଇଁ ମଳୟ କୁମାର ଜେନା ଓ ରାକେଶ କୁମାର ବିଶୋଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ ହୋଇଛି। ସୂଚନା ଅନୁଯାୟୀ, ଉପସଭାପତି ପଦ ପାଇଁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ତେବେ ଯାଞ୍ଚ ପରେ ଜଣେ ପ୍ରାର୍ଥୀ ବାଦ୍ ପଡ଼ିବାରୁ ରୋଜିନା ସାମଲ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଥିଲେ। ସେହିପରି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ତିନିଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ମଳୟ କୁମାର ଜେନା ଓ ରାକେଶ କୁମାର ବିଶୋଇଙ୍କ ମଧ୍ୟରେ ସିଧାସଳଖ ଲଢ଼େଇର ରାସ୍ତା ଖୋଲିଥିଲା। ତେବେ କଲେଜର କାର୍ଯ୍ୟ ସରିବା ପରେ କର୍ମଚାରୀମାନେ ଫେରିଯାଇଥିବା ସମୟରେ ରାକେଶ କୁମାର ବିଶୋଇଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ପ୍ରତିପକ୍ଷଙ୍କ ପକ୍ଷରୁ ଅଭିଯୋଗ ଆସିଥିଲା। ଏହାପରେ କଲେଜ ଅଧ୍ୟକ୍ଷଙ୍କ ଜରୁରୀ ନୋଟିସ ପାଇ ସମସ୍ତ ନିର୍ବାଚନ ଅଧିକାରୀ କଲେଜରେ ପହଞ୍ଚିଥିଲେ। ଅଭିଯୋଗଗୁଡ଼ିକର ତଦନ୍ତ ଓ ଆଲୋଚନା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଜରୁରୀକାଳୀନ ବୈଠକ ରାତି ପ୍ରାୟ ୮ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଅଭିଯୋଗର ନିଷ୍କର୍ଷ ବାହାରିବା ଓ ଆବଶ୍ୟକ କାର୍ଯ୍ୟ ସମାପ୍ତ ହେବା ବେଳକୁ ରାତି ୩ଟା ହୋଇଯାଇଥିଲା।
ଏହି ସମୟରେ ଅଭିଯୋଗକାରୀ ଛାତ୍ରମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଗି ରହିଥିବାରୁ ପରିସ୍ଥିତିରେ ପୁଲିସ ହସ୍ତକ୍ଷେପ କରିଥିଲା। ପରେ ଛାତ୍ରମାନେ ଘରକୁ ଫେରିଥିଲେ। ହେଲେ ଆଜିର ଏ ସମସ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।