“ଜାତି ନୁହେଁ, ଆର୍ଥିକ ଆଧାରରେ ମିଳୁ ସଂରକ୍ଷଣ”

39

ଭଞ୍ଜନଗରରେ ସାଧାରଣ ବର୍ଗ ଫୋରମ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ସରକାରଙ୍କ ନିକଟରେ ଦାବି

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ଦୀର୍ଘ ବର୍ଷର ଦାବି, ଗଣତାନ୍ତ୍ରିକ ଆନ୍ଦୋଳନ! ସରକାରୀ ନୀତି ଓ ଆଇନରେ ସଂଶୋଧନ ଆଣିବା ସହ ଜାତିଗତ ସଂରକ୍ଷଣ ବଦଳରେ ଆର୍ଥିକ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଭଞ୍ଜନଗରଠାରେ ସାଧାରଣ ବର୍ଗ ଫୋରମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପ୍ରତି ହେଉଥିବା ପାତରଅନ୍ତର ବନ୍ଦ କରିବା ସହ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖାଯାଇଛି।
​ଜାତି ଆଧାରିତ ସଂରକ୍ଷଣ ବ୍ୟବସ୍ଥା ନୁହେଁ, ବରଂ ଆର୍ଥିକ ସ୍ଥିତିକୁ ଆଧାର କରି ସଂରକ୍ଷଣ ପ୍ରଚଳନ କରାଯାଉ। ସରକାରଙ୍କ ବିଭିନ୍ନ ଜାତି ଆଧାରିତ ନୀତି, ଆଇନ ଓ ବ୍ୟବସ୍ଥାରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ଦୀର୍ଘ ବର୍ଷ ଧରି ସାଧାରଣ ବର୍ଗ ଫୋରମ୍ ଗଣତାନ୍ତ୍ରିକ ଉପାୟରେ ନିଜର ଦାବି ଓ ଆନ୍ଦୋଳନ ଜାରି ରଖିଛି। ଗତ ଏପ୍ରିଲ୍ ମାସଠାରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ପ୍ରକ୍ରିୟା ବ୍ୟାପକ ଭାବେ ଚାଲୁରହିଛି।
​ଏହି କ୍ରମରେ ଆଜି ଭଞ୍ଜନଗରସ୍ଥିତ କାଳୀଂଜି କୁଳ ସଭା ଗୃହଠାରେ ସାଧାରଣ ବର୍ଗ ଫୋରମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସାଧାରଣ ବର୍ଗର ଅଧିକାର ଓ ସରକାରୀ ସୁବିଧା ସୁଯୋଗରେ ସମାନତା ଆଣିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି ଓ ସଭାରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। UGC Act ସମ୍ପର୍କିତ ବ୍ୟବସ୍ଥାର ପୁନର୍ବିଚାର କିମ୍ବା ଉଚ୍ଛେଦ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା।
​ଆର୍ଥିକ ଆଧାରରେ ସଂରକ୍ଷଣ, ଜାତି ନୁହେଁ, କେବଳ ଆର୍ଥିକ ଅନାଟନକୁ ଆଧାର କରି ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିବା।
​ପଦୋନ୍ନତିରେ ସଂରକ୍ଷଣ ପୁନର୍ବିଚାର, ସରକାରୀ ଚାକିରିରେ ପଦୋନ୍ନତି (Promotion) ସମୟରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର କରିବା।
​ରାଜନୈତିକ ସଂରକ୍ଷଣ, ଲୋକପ୍ରତିନିଧିତ୍ୱ କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର କରିବା ଏବଂ ୨୦୨୯–୩୦ ମସିହାରେ ଏହାର ପୁନଃନବୀକରଣ ନ କରିବା।
​ଶିକ୍ଷା ଓ ପରୀକ୍ଷା ଫିସ୍‌ରେ ସମାନତା, ଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ଉପରେ ଧାର୍ଯ୍ୟ କରାଯାଉଥିବା ଅଧିକ ଫିସ୍ ଏବଂ ଅନ୍ୟାନ୍ୟ ପାତରଅନ୍ତରମୂଳକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ କରିବା।
​ଆଜିର ଏହି ଆଲୋଚନା ସଭାରେ ଅତିଥି ଭାବେ ଓଡ଼ିଶା ସାଧାରଣ ବର୍ଗ ଫୋରମ୍‌ ର ଆବାହକ କ୍ୟାପଟେନ୍ ଦୀନବନ୍ଧୁ ଷଡ଼ଙ୍ଗୀ (ଅବସରପ୍ରାପ୍ତ), ଶ୍ରୀ ଅଶୋକ ପଣ୍ଡା, ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ବିଜୟ ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦ ଘୁମୁସର ଜିଲ୍ଲା ସଭାପତି ମୁରଲୀଧର ପଣ୍ଡା ଏବଂ ନୀଳ ମାଧବ ରଥ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।
​ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସଫଳ କରିବାରେ ସରୋଜ କାନ୍ତ ଶତପଥୀ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଶିବାସୀଷ ମହାପାତ୍ର, ବଟକୃଷ୍ଣ ପଣ୍ଡା ଏବଂ ଗଣେଶ୍ୱର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.