ବିଜେପୁର: ସରକାରଙ୍କ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଛି ବିଭିନ୍ନ ପ୍ରକଳ୍ପ। ହେଲେ ନିର୍ମାଣ ପରେ ତାହା ଲୋକଙ୍କ କାମରେ ନ ଲାଗିଲେ ସରକାରୀ ଅର୍ଥ ଖର୍ଚ୍ଚର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସାପ୍ତାହିକ ବଜାରରେ।
ତାଳପଦର ସାପ୍ତାହିକ ବଜାର ପରିସରରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ନୂତନ ଭାବେ ନିର୍ମାଣ ହୋଇ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଶୌଚାଳୟ ଆଜି ପର୍ଯ୍ୟନ୍ତ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଇନାହିଁ। ଶୌଚାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ଲୋକେ ଏହାକୁ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି।ତାଳପଦର ବଜାରକୁ ପ୍ରତି ସପ୍ତାହରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ବ୍ୟବସାୟୀ ଆସିଥାନ୍ତି। ଏଥିସହ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଆଖପାଖ ଗ୍ରାମରୁ ଲୋକେ ମଧ୍ୟ ଆସିଥାନ୍ତି। ଏଭଳି ସ୍ଥାନରେ ସ୍ୱଚ୍ଛତା ଓ ଶୌଚାଳୟର ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ। ବିଶେଷକରି ମହିଳା, ବୃଦ୍ଧ ଓ ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ ପାଇଁ ସାର୍ବଜନୀନ ଶୌଚାଳୟର ଆବଶ୍ୟକତା ଅଧିକ ରହିଛି। କିନ୍ତୁ ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଥିବା ଶୌଚାଳୟଟି ନିଜେ ଲୋକଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶୌଚାଳୟ ନିର୍ମାଣ ହୋଇଥିବା ଦିନଠାରୁ ଏହା ଠିକ୍ ଭାବେ ବ୍ୟବହାର ହୋଇନାହିଁ। ଏବେ ମଧ୍ୟ ତାଲା ପଡ଼ି ରହିଛି। ଏହାର ରକ୍ଷଣାବେକ୍ଷଣ ଓ ଦାୟିତ୍ୱ କାହାର, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଦୀର୍ଘ ସମୟ ଧରି ବନ୍ଦ ରହିବା ଯୋଗୁଁ ନିର୍ମାଣ ହୋଇଥିବା ଏହି ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି।
ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି “ଲୋକଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି ନା କେବଳ ଦେଖାଇବା ପାଇଁ? ଯଦି ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଲା ପଡ଼ି ରହିବ, ତେବେ ଏହା କାହା ପାଇଁ ତିଆରି ହୋଇଛି?”ଅନ୍ୟପଟେ, ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ସଫଳ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ତାଳପଦର ବଜାରରେ ଥିବା ଏହି ଗୋଷ୍ଠୀ ଶୌଚାଳୟକୁ ତୁରନ୍ତ ଖୋଲି ଲୋକଙ୍କ ବ୍ୟବହାର ପାଇଁ ଦିଆଯିବା ସହ ଏହା କାହିଁକି ଦୀର୍ଘଦିନ ଧରି ବନ୍ଦ ରହିଛି, ତାହାର ତଦନ୍ତ କରାଯିବାକୁ ଦାବି ହେଉଛି। ନଚେତ ଲୋକଙ୍କ ସୁବିଧା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ଉଦ୍ଦେଶ୍ୟ ଅଧୁରା ରହିଯିବ ବୋଲି ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.