ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା

37

  • ରୁଫ୍ ଟପ ସୋଲାର ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ
  • ରୁଫ୍ ଟପ ସୋଲାର ସ୍ଥାପନରେ ଗଞ୍ଜାମ ସାରା ରାଜ୍ୟରେ ଦ୍ୱିତୀୟ

ବ୍ରହ୍ମପୁର: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ଅଧିକରୁ ଅଧିକ ପରିବାର ଏବେ ସ୍ୱଚ୍ଛ ଶକ୍ତିକୁ ଆପଣାଉଛନ୍ତି । ଏହି ଯାତ୍ରାର ଅଭୂତପୂର୍ବ ସଫଳତା ଏବେ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଛି । ନିରନ୍ତର ଉପଭୋକ୍ତା ସଚେତନତା ଏବଂ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଦ୍ୱାରା ନିରବଚ୍ଛିନ୍ନ କ୍ରିୟାନ୍ୱୟନ ଦ୍ୱାରା ଏହି ଯୋଜନା ଏବେ ଉପଭୋକ୍ତାଙ୍କୁ ସୌର ଶକ୍ତିକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରୁଛି । ଯାହା ଏକଦା ଏକ ମହଙ୍ଗା ବିକଳ୍ପ ଭାବରେ ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହି ଯୋଜନା ଏବେ ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ଏକ ବ୍ୟାବହାରିକ, ସୁଲଭ ଏବଂ ଦୀର୍ଘକାଳୀନ ସମାଧାନ ଭାବରେ ଉଭା ହେଉଛି ।

ସୌର ପ୍ୟାନେଲ ସ୍ଥାପନକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଆଗ୍ରହ ଏବେ ଟିପିଏସ୍ଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ପରିଲକ୍ଷିତ ହୋଇଛି । ଅଦ୍ୟାବଧି ମୋଟ ୫୪,୩୯୦ ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଆବେଦନ କରିଛନ୍ତି । ତନ୍ମଧ୍ୟରୁ ୨୨,୨୪୨ ପରିବାର ଏହି ଯୋଜନା ଅଧୀନରେ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିସାରିଛନ୍ତି । ସେହିଭଳି ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ତଥା ୟୁଏଲ୍ଏ ମଡେଲ ମାଧ୍ୟମରେ ମୋଟ ୧୨,୭୪୩ ଉପଭୋକ୍ତା ସୌର ପ୍ୟାନେଲ ସ୍ଥାପନ କରିଛନ୍ତି ।

ଏହି ଯୋଜନାର ଲାଭ ପାଇଥିବା ଉପଭୋକ୍ତା ରଞ୍ଜିତାସେଠୀ କହିଛନ୍ତି । “ଆମର ଯେହେତୁ ଏକ ବଡ଼ ଯୌଥ ପରିବାର ସେହି କାରଣରୁ ଆମର ବିଦ୍ୟୁତ ଖର୍ଚ୍ଚ ଅଧିକ ଥିଲା । ଟିପିଏସ୍ଓଡିଏଲର ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ଜାଣିବାକୁ ପାଇଲି । ଏହାପରେ ଟିପିଏସ୍ଓଡିଏଲର ସହଯୋଗରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିଲି । ଏଥିସହିତ ସରକାରୀ ସବସିଡି ସମୟରେ ପାଇବା ସାଙ୍ଗକୁ ବର୍ତ୍ତମାନ ମୋର ମାସିକ ବିଜୁଳି ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି । ମୁଁ ପ୍ରତ୍ୟେକ ପରିବାରକୁ ସୌର ଶକ୍ତି ଗ୍ରହଣ କରିବାକୁ କହିବି । ଯାହା ସୁଲଭ, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ମଧ୍ୟ” । ଏହି ଯୋଜନାର ଲାଭ ପାଇଥିବା ଉପଭୋକ୍ତା ରଞ୍ଜିତାସେଠୀ କହିଛନ୍ତି ।

ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪,୨୭୮ଟି ସୌର ପ୍ୟାନେଲ ସ୍ଥାପନ ହୋଇଛି । ଯାହା ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲାକୁ ଦ୍ୱିତୀୟ ସ୍ଥାନରେ ରଖିଛି । ସେହିଭଳି ଗଜପତି ଜିଲ୍ଲାରେ ୧୪୯୨, ନବରଙ୍ଗପୁରରେ ୧୩୨୮, ରାୟଗଡ଼ାରେ ୧୪୫୨, ବୌଦ୍ଧରେ ୧,୦୮୭, କୋରାପୁଟରେ ୧,୧୬୯, ମାଲକାନଗିରିରେ ୭୧୪ ଏବଂ କନ୍ଧମାଳରେ ୬୪୯ ଟି ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ଯାହା ଉଭୟ ସହରାଞ୍ଚଳ ଏବଂ ଗ୍ରାମୀଣ ସମୁଦାୟଙ୍କ କ୍ଷେତ୍ରରେ ଅକ୍ଷୟ ଶକ୍ତିର ଗ୍ରହଣୀୟତାକୁ ଦର୍ଶାଉଛି ।

ଏହି ସୌର ଯାତ୍ରା ପଛରେ ଟିପିଏସ୍ଓଡିଏଲର ୟୁଏଲ୍ଏ ମଡେଲ ଏକ ମୁଖ୍ୟ ଭୂମିକା ନିର୍ବାହ କରୁଛି । ଯାହା ସୌର ପ୍ୟାନେଲ ସ୍ଥାପନକୁ ଅଧିକ ସହଜ, ସୁଗମ ଏବଂ ସୁଲଭ କରିଛି । ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ ୧କିଲୋୱାଟର ସୌର ପ୍ୟାନେଲ ମାତ୍ର ₹୧୮୭୫ ରେ ପାଇ ପାରୁଛନ୍ତି । ସେହିଭଳି ୨କିଲୋୱାଟର ସୌର ପ୍ୟାନେଲ ସ୍ଥାପନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ୧ଲକ୍ଷ ୧୦ହଜାର ଟଙ୍କାର ସରକାରୀ ସବସିଡି ମିଳୁଥିବା ବେଳେ ୩କିଲୋୱାଟର ସୌର ପ୍ୟାନେଲ ସ୍ଥାପନରେ ୧ଲକ୍ଷ ୩୮ହଜାର ଟଙ୍କାର ସବସିଡି ମିଳୁଛି । ଏହି କ୍ରମରେ ସାରା ଦେଶରେ ରାଜ୍ୟ ସରକାର ଦେଉଥିବା ସରକାରୀ ସବସିଡି ସର୍ବାଧିକ ମଧ୍ୟ ଅଟେ ।

ଏହି ଉତ୍ସାହଜନକ ପ୍ରତିକ୍ରିୟା ମଧ୍ୟ ଉପଭୋକ୍ତାଙ୍କ ସୌର ଶକ୍ତିକୁ ନେଇ ବଦଳୁଥିବା ମାନସିକତାକୁ ପ୍ରତିଫଳିତ କରେ । ଯାହା ଛାତ ଉପରେ ସୌର ପ୍ୟାନେଲ ସ୍ଥାପନରେ ଏକ ସ୍ମାର୍ଟ ବିନିଯୋଗ ଭାବରେ ଦେଖାଦେଇଛି । ସୌର ଶକ୍ତି ସ୍ଥାପନ ଫଳରେ ଦୀର୍ଘକାଳୀନ ଆର୍ଥିକ ସଞ୍ଚୟ, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ପରିବେଶ ସୁରକ୍ଷା ଆଦି ସମ୍ଭବପର ହୋଇପାରିଥାଏ । ନିରନ୍ତର ସଚେତନତା ଅଭିଯାନ, ଉପଭୋକ୍ତା ଯୋଗଦାନ କାର୍ଯ୍ୟକ୍ରମ ଏବଂ ସରଳୀକୃତ ସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି ।

ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ପିଏମ୍ ସୂର୍ଯ୍ୟ ଘର ଯୋଜନା ପ୍ରତି ଲୋକଙ୍କ ବର୍ଦ୍ଧିତ ପ୍ରତିକ୍ରିୟା ଉତ୍ସାହଜନକ ଅଟେ । ଅଧିକ ପରିବାର ସ୍ୱୀକାର କରୁଛନ୍ତି ଯେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କେବଳ ସ୍ୱଚ୍ଛ ଶକ୍ତିରେ ବିନିଯୋଗ ନୁହେଁ ବରଂ ଦୀର୍ଘକାଳୀନ ସଞ୍ଚୟ ଏବଂ ଶକ୍ତି ସ୍ୱାଧୀନତା ସୃଷ୍ଟି କରେ । ଆମର ସଚେତନତା ପଦକ୍ଷେପ ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ ମଡେଲ (ୟୁଏଲ୍ଏ) ମାଧ୍ୟମରେ, ଆମେ ସୌରଶକ୍ତିକୁ ସରଳ, ସୁଲଭ ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାର ପାଇଁ ଉପଲବ୍ଧ କରୁଛୁ । ଦକ୍ଷିଣ ଓଡ଼ିଶାରେ ଏହି ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ” ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ରୁଫ୍ ଟପ ସୋଲାରର ବର୍ଦ୍ଧିତ ଗ୍ରହଣୀୟତା ଗ୍ରାହକଙ୍କ ସାମୂହିକ ପ୍ରୟାସ, ସରକାରୀ ସହାୟତା ଏବଂ ଟିପିଏସ୍ଓଡିଏଲର ନିରନ୍ତର ସୁବିଧାକୁ ପ୍ରତିଫଳିତ କରୁଛି । ପ୍ରତ୍ୟେକ ନୂତନ ସ୍ଥାପନ ସହିତ, ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ସ୍ୱଚ୍ଛ ଏବଂ ସବୁଜ ଶକ୍ତିର ଯାତ୍ରାକୁ ଆହୁରି ମଜଭୁତ କରୁଛି । ଏଥିସହିତ ଏକ ସବୁଜ, ଦୀର୍ଘସ୍ଥାୟୀ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ କରୁଛି ।

Leave A Reply

Your email address will not be published.