ରାଜ୍ୟର ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ଓ ଜୀବିକାର ସୁରକ୍ଷା ପାଇଁ ଅବିଚାରିତ ବକ୍ସାଇଟ୍ ଖଣି ଖନନ ଓ ଲିଜ୍ ପ୍ରଦାନ ବନ୍ଦ କରାଯାଉ
ଭୁବନେଶ୍ୱର (୧୧/୮) : ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ଓ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସ୍ ତରଫରୁ ଭୁବନେଶ୍ୱର ଲୋହିଆ ଏକାଡ଼େମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି ଓ ଗାନ୍ଧୀବାଦୀ ନେତା ଡାକ୍ତର ବିଶ୍ୱଜିତ୍ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଅବିଚାରିତ ବକ୍ସାଇଟ୍ ଖଣି ଲିଜ୍ ପ୍ରଦାନ ରାଜ୍ୟକୁ ସମ୍ବଳହୀନ କରିବା ସହ ରାଜ୍ୟର ନିରନ୍ତର ଜଳ ଉତ୍ସଗୁଡ଼ିକୁ ଶେଷ କରିଦେବ। ସରକାର ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଆଗକୁ ଥିବା ଅନ୍ୟ ଖଣିଗୁଡ଼ିକର ନିଲାମ ଆଦେଶ ରଦ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରକୃତିର ଅନବଦ୍ୟ ଉପହାର ସ୍ୱରୂପ ବକ୍ସାଇଟ୍ ଧାତୁର ଧର୍ମ ହେଉଛି ବର୍ଷାଜଳକୁ ଭିଡ଼ି ଧରି ଭୂତଳରେ ସାଇତି ରଖିବା ଓ ବର୍ଷା ପରେ ତାକୁ ଝରଣାଗୁଡ଼ିକରେ ଅବିରତ ବାହାରକୁ ବହିବାକୁ ଦେବା ଦ୍ୱାରା ଚିରସ୍ରୋତା ଝରଣାଗୁଡ଼ିକରୁ ଜାତ ନଦୀଗୁଡ଼ିକ ଜଳ ପାଇଥାନ୍ତି। ପୃଥିବୀର ସର୍ବତ୍ର ଯେଉଁଠି ବକ୍ସାଇଟ୍ ଅଞ୍ଚଳ, ତାକୁ ଜଳ ବାମ୍ପି ରୂପେ କୁହାଯାଇଥାଏ।
ଦେଶର ୫୫ ପ୍ରତିଶତରୁ ଅଧିକ ବକ୍ସାଇଟ୍ ଆମ ରାଜ୍ୟର ପଶ୍ଚିମରୁ ଦକ୍ଷିଣାଞ୍ଚଳର ୫ଟି ଜିଲ୍ଲା – ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଗନ୍ଧମାର୍ଦ୍ଦନ, ନିୟମଗିରି, କର୍ଲାପାଟ, ଖଣ୍ଡୁଆଳମାଳି, ମାଞ୍ଜିମାଳି, ସିଜିମାଳି, କୁଟୁରୁମାଳି, ଶାଶୁ-ବୋହୂମାଳି, ବାଫିଲିମାଳି, କୋଡ଼ିଙ୍ଗାମାଳି, ନାଗେଶ୍ୱରୀ ପାହାଡ଼, ପଞ୍ଚପଟମାଳି ପର୍ବତ, କର୍ଣ୍ଣକୋଣ୍ଡା, ସେରୁବନ୍ଧ ଓ ଦେଓମାଳିରେ ଭରି ରହିଛି। ଆମର ବର୍ତ୍ତମାନ ପଞ୍ଚପଟମାଳି, ବାଫିଲିମାଳି ଓ କୋଡ଼ିଙ୍ଗାମାଳିରେ ନାଲକୋ, ଓ.ଏମ୍.ସି. ଓ ଆଦିତ୍ୟ ବିର୍ଲା ଲିଜ୍ ପାଇ ଖଣି ଖନନ ଜାରି ରଖିଛନ୍ତି । ଏହି ଅଞ୍ଚଳଗୁଡ଼ିକରେ ଜଳ ଉତ୍ସଗୁଡ଼ିକ ଶୁଖିଯିବା ସହ ନଦୀ, ନାଳ ପ୍ରଦୂଷିତ ଓ ଜଙ୍ଗଲ ନଷ୍ଟ କରିବା ପରେ ସେହି ଅଞ୍ଚଳଗୁଡ଼ିକର ମିଲେଟ୍ ଚାଷ ଓ କୃଷି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ପ୍ରଦୂଷଣ ଜାଲରେ ଲୋକେ ହନ୍ତସନ୍ତ।
ବର୍ତ୍ତମାନ ନାଲକୋ ଓ ବେଦାନ୍ତ ଆଲୁମିନିୟମ୍ ବିଦେଶକୁ ରପ୍ତାନି କରୁଛନ୍ତି। ତେଣୁ ଆମ ଦେଶର ଆବଶ୍ୟକତା ଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ରାଜ୍ୟକୁ ସମ୍ବଳହୀନ କରାଇ ପୂର୍ବଘାଟ ପର୍ବତମାଳାର ଅତି ସମ୍ବେଦନଶୀଳ ଓଡ଼ିଶାର ବକ୍ସାଇଟ୍ ଧାରଣ କରିଥିବା ପର୍ବତମାଳାଗୁଡ଼ିକୁ ଶେଷ କରିଦେବା ରାଜ୍ୟ ଓ ଦେଶର ଭବିଷ୍ୟତ ପିଢ଼ି ପାଇଁ ଅନ୍ୟାୟ। ବର୍ତ୍ତମାନର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉଜାଡ଼ି ଦେଇ ସେମାନଙ୍କୁ ବଞ୍ଚିବାର ଅଧିକାରରୁ ବଞ୍ଚିତ କରିବା ଅତି ଅନ୍ୟାୟ ଓ ସମ୍ବିଧାନ ବିରୋଧୀ।
କୋରାପୁଟ ଜିଲ୍ଲାର ପର୍ବତମାଳା ସେରୁବନ୍ଧ, ନାଗେଶ୍ୱରୀ ପାହାଡ଼, କର୍ଣ୍ଣକୋଣ୍ଡା, ସିଜିମାଳି, କୁଟୁରୁମାଳି ବିଭିନ୍ନ କମ୍ପାନୀକୁ ଲିଜ୍ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ କର୍ଲାପାଟ ପରେ ସମ୍ବେଦନଶୀଳ ଘଞ୍ଚ ଜଙ୍ଗଲକୁ ନିଲାମ ପ୍ରକ୍ରିୟା ଶେଷ କରାଯାଇଛି। ଏହା ବ୍ୟତୀତ କାଶୀପୁରର ଶାଶୁ-ବୋହୂମାଳି, ଟିକିରି ପାଖର ତିନୋଟି ପର୍ବତ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଆଦାନୀ କମ୍ପାନୀକୁ ଦୁଇଟି ଓ ବେଦାନ୍ତ କମ୍ପାନୀକୁ ତିନୋଟି ଲିଜ୍ ଦିଆସରିଲାଣି। ବର୍ତ୍ତମାନ ଆଦାନୀ ଓ ବେଦାନ୍ତ ଆଲୁମିନା ହବ୍ କରିବା ନାମରେ ରାଜ୍ୟ ସରକାରଙ୍କୁ ପ୍ରଭାବିତ କରି ଗଣ୍ଡା ଗଣ୍ଡା ଖଣି ହାତେଇବା ପାଇଁ ପ୍ରତିଯୋଗିତାରେ ଅଛନ୍ତି। ଏହାଦ୍ୱାରା କାଶୀପୁର, ଥୁଆମୂଳ ରାମପୁର ଅଞ୍ଚଳ ଓ କୋରାପୁଟ ଜିଲ୍ଲାର ଜଳ ଉତ୍ସ ସମେତ କୋଲାବ ନଦୀ, ସାବେରୀ ନଦୀ, ଝଞ୍ଜାବତୀ ନଦୀ, ନାଗାବଳୀ ନଦୀ, ହାତୀ ନଦୀ, ତେଲ ନଦୀ ସମେତ ଅନେକ ଉପନଦୀର ଜଳ ଉତ୍ସଗୁଡ଼ିକ ଶୁଖିଯିବ ଓ ପ୍ରଦୂଷିତ ହେବ।
ଜଲାପୁଟ ଜଳଭଣ୍ଡାର ସମେତ ସିଜିମାଳି, କୁଟୁରୁମାଳିର ପ୍ରାୟ ୫୦ ଗୋଟି, କର୍ଲାପାଟର ୧୮ଟି ଜଳପ୍ରପାତ, ମାଳି ପର୍ବତରେ ୩୬ଟି ଚିରସ୍ରୋତା ଝରଣାଗୁଡ଼ିକ ଲୋପ ପାଇଯିବ। ଏହାଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟ, ମିଲେଟ୍ ଓ କୃଷିରୁ ହଜାର ହଜାର ପରିବାର ବଞ୍ଚିତ ହେବା ସହ ଖାଦ୍ୟ ସଙ୍କଟ ଦେଖାଯିବ। ଜଳବାୟୁ ପରିବର୍ତ୍ତନକୁ ବୃଦ୍ଧି କରାଇବ।
ବର୍ତ୍ତମାନ ଯେଉଁସବୁ ଖଣି ଲିଜ୍ ଦିଆଯାଇଛି, ତାହା ସାମ୍ବିଧାନିକ ନିର୍ଦ୍ଦେଶ, ଜଙ୍ଗଲ ଅଧିକାର ଆଇନ, ପେସା (PESA) ଓ ରାଜ୍ୟର ୧୯୫୬ ରେଗୁଲେସନ୍-୨କୁ ଉଲ୍ଲଂଘନ କରାଯାଇ ସମ୍ପୂର୍ଣ୍ଣ ଭାବେ ଗ୍ରାମସଭାର ଅଧିକାରକୁ ଛଡ଼ାଇ ନିଆଯାଇଛି। ସେଥିପାଇଁ ସିଜିମାଳି, କୁଟୁରୁମାଳି, ନାଗେଶ୍ୱରୀ ପର୍ବତ, ମାଳି ପର୍ବତ ଓ ସେରୁବନ୍ଧରେ ପୋଲିସର ଲାଠି ଓ ଜେଲ୍କୁ ନଡ଼ରି ଆଦିବାସୀ, ଦଳିତମାନେ ଏକାଠି ହୋଇ ଜନ ଆନ୍ଦୋଳନ ଜରିଆରେ ପ୍ରତିରୋଧ ଜାରି ରଖିଛନ୍ତି।
ଆମେ ସରକାରଙ୍କ କମ୍ପାନୀ ପ୍ରୀତି, ନୀତି ତଥା ମାଟି ବିକି ରାଜ୍ୟ ଚଳାଇବା ଦେବାଳିଆ ନୀତିର ବିରୋଧ କରିବା ପାଇଁ ସଚେତନ ନାଗରିକମାନଙ୍କୁ ନିବେଦନ କରିବା ସହ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କୁ ଆହ୍ୱାନ କରୁଛୁ ଯେ, ସେମାନେ ଏପରି ଅନାବଶ୍ୟକ, ଅବିଚାରିତ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ। ଖଣିଜ ସମ୍ପଦର ବିନିଯୋଗ ଉପରେ ସର୍ବସାଧାରଣ ସରକାର ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହେବାକୁ ନିବେଦନ।
ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରି ବକ୍ସାଇଟ୍ ଖଣି ଖନନ ଉପରେ ନିଷେଧ ଜାରି କରନ୍ତୁ। ବର୍ତ୍ତମାନର ତିନୋଟି ଖଣି ଖନନ ଶେଷ ହେବା ପର୍ଯ୍ୟନ୍ତ; ନଚେତ୍ ଜଙ୍ଗଲ, ଜମି, ଜଳର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନଆନ୍ଦୋଳନଗୁଡ଼ିକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସାମନ୍ତରା କହିଛନ୍ତି।