ଦୁଇ ଘଣ୍ଟା ମଧ୍ଯରେ ଡକାୟତି ମାମଲାର ସଫଳ ପର୍ଦ୍ଦାଫାସ

9

ଲୁଟ ହୋଇଥିବା ରୁ. ୫,୦୦,୦୦୦ /- ଉଦ୍ଧାର , ଦୁଇ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଡେଲ ଥାନା , ପାରଳାଖେମୁଣ୍ଡି ପୋଲିସ ଏକ ଡକାୟତି ମାମଲାକୁ ଘଟଣାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସଫଳତାର ସହ ପର୍ଦ୍ଦାଫାସ କରି ଲୁଟ ହୋଇଥିବା ର ୫,୦୦,୦୦୦/- ସମ୍ପୂର୍ଣ୍ଣ ଟଙ୍କା ଉଦ୍ଧାର କରିବା ସହ ଦୁଇ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତା. ୦୧.୦୮.୨୦୨୬ ଦିନ ଅପରାହ୍ନ ୩,୦୦ ଘଟିକାରେ , ଗୁରାଣ୍ଡି ଥାନା ଅନ୍ତର୍ଗତ ସଇଲାଡା ଗ୍ରାମର ଏମ୍. ସୂର୍ଯ୍ୟ ରାଓ (୫୮) ମଡେଲ ଥାନାରେ ଏକ ଲିଖିତ ଏତଲା ଦେଇ ଜଣାଇଥିଲେ ଯେ, ସେହି ଦିନ ଦିନ ୧.୨୦ ଘଟିକା ସମୟରେ ସେ ପାରଳାଖେମୁଣ୍ଡି ଏସ୍.ବି.ଆଇ. ମୁଖ୍ୟ ଶାଖାରୁ ରୁ ୫,୦୦,୦୦୦/- ଉଠାଇ ନିଜ ମୋଟରସାଇକେଲର ହ୍ୟାଣ୍ଡେଲରେ ଥିବା ବ୍ୟାଗରେ ରଖିଥିଲେ। ସେହି ସମୟରେ ଦୁଇଟି ମୋଟରସାଇକେଲରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଘେରି ଦେଇଥିଲେ। ଜଣେ ଦୁର୍ବୃତ୍ତ ରାସ୍ତାରେ କିଛି ଟଙ୍କା ଫିଙ୍ଗି ତାଙ୍କ ଧ୍ୟାନ ଅନ୍ୟତ୍ର କରିଥିବା ବେଳେ ଅନ୍ୟ ଜଣେ ତାଙ୍କୁ ଠେଲି ଦେଇଥିଲେ। ଏହି ସୁଯୋଗରେ ଅନ୍ୟ ଜଣେ ଅଭିଯୁକ୍ତ ୫,୦୦,୦୦୦/-, ବ୍ୟାଙ୍କ ପାସବୁକ ଓ ଚେକ ବୁକ ଥିବା ବ୍ୟାଗକୁ ଛଡାଇ ନେଇ ସମସ୍ତେ ଦୁଇଟି ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ଏହି ଏତଲା ଆଧାରରେ ମତେଲ ଥାନା କେସ୍ ନଂ-୩୧୯, ତା. ୦୧.୦୮.୨୦୨୬, ଧାରା ୩୦୯ (୪) ବି.ଏନ୍.ଏସ. ରେ ମାମଲା ରୁଜୁ କରାଯାଇ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା।
ତଦନ୍ତ ସମୟରେ ଏସ୍.ବି.ଆଇ. ମୁଖ୍ୟ ଶାଖା ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ସେଥିରେ ଘଟଣା ଓ ଅଭିଯୁକ୍ତମାନଙ୍କ ଗତିବିଧି ସ୍ପଷ୍ଟ ଭାବେ ରେକର୍ଡ ହୋଇଥିବା ଜଣାପଡ଼ିଥିଲା। ଉକ୍ତ ଫଟୋ ଓ ଭିଡିଓକୁ ତୁରନ୍ତ ପଡ଼ୋଶୀ ଥାନା ଓ ଜିଲ୍ଲା ସୀମାରେ ଥିବା ପୋଲିସ ଥାନାମାନଙ୍କୁ ପଠାଯାଇଥିଲା। ସେହି ଦିନ ସନ୍ଧ୍ୟା ପ୍ରାୟ ୫.୦୦ ଘଟିକାରେ, ଗାରବନ୍ଧ ପୋଲିସ ନାକା ଚେକିଂ କରୁଥିବା ବେଳେ ଘଟଣାରେ ବ୍ୟବହୃତ ଦୁଇଟି ମୋଟରସାଇକେଲ ମଧ୍ୟରୁ ଗୋଟିଏକୁ ଅଟକାଇଥିଲେ। ସେଥିରେ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ମୋଟରସାଇକେଲରେ ଥିବା ଦୁଇ ଜଣ ଫେରାର ହୋଇଯାଇଥିଲେ। ତଲାସୀ ବେଳେ ଅଭିଯୁକ୍ତଙ୍କ ନିକଟରୁ ବ୍ୟାଙ୍କ ସିଲ୍ ଥିବା ର ୫,୦୦,୦୦୦/- ନଗଦ ଟଙ୍କା ସମ୍ପୂର୍ଣ୍ଣ ଉଦ୍ଧାର କରାଯାଇଥିଲା I ଘଟଣାରେ ବ୍ୟବହୃତ ମୋଟରସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପେଟଲା ଦେବଧାନମ @ ଦେବା (୪୦), ପିତା: ପେଟଲା ନାଭେୟା , ଗୋଡ୍ଡେଟି ସଲମାନ (୫୪), ପିତା : ଗୋଡ୍ଡେଟି ରାମୁଲୁ , ଗ୍ରାମ : କପ୍ପାରାଲ୍ଲାଥିପ୍ପା, ଥାନା : ବିତ୍ରାଗୁଣ୍ଟା, ମଣ୍ଡଳ : ବୋଗୋଲେ , ଜିଲ୍ଲା : ଶ୍ରୀ ପୋଟ୍ଟି ଶ୍ରୀରାମୁଲୁ ନେଲ୍ଲୋର , ଆନ୍ଧ୍ରପ୍ରଦେଶ।
ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ପୂର୍ବ ଯୋଜନା ଅନୁଯାୟୀ ବ୍ୟାଙ୍କରୁ ବହୁ ପରିମାଣର ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ଟାର୍ଗେଟ କରି ଏହି ଅପରାଧ ଘଟାଇଥିଲେ। ପ୍ରାଥମିକ ତଦନ୍ତରୁ ଏହି ଗ୍ୟାଙ୍ଗ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ଏଭଳି ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ଥ‌ିବା ସନ୍ଦେହ କରାଯାଉଛି I ସେମାନଙ୍କର ଅପରାଧିକ ପୂର୍ବ ଇତିହାସ ଯାଞ୍ଚ ଚାଲିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ପଠାଯାଉଛି। ଫେରାର ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ତଲାସୀ ଜାରି ରହିଛି I ମାମଲାର ତଦନ୍ତ ଚାଲୁରହିଛି ବୋଲି ସାମ୍ବାଦିକ ସମ୍ମୀଳନୀରେ ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.