ଜୁହାର ପରିବାରର ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

42

ପଦ୍ମପୁର : – ଜୁହାର ପରିବାର ବିଶାଖାପଟ୍ଟନମର ଉପଦେଷ୍ଟା ତଥା IDSE ସାମରିକ ସେବାରୁ ଅବସରପ୍ରାପ୍ତ ଚିତ୍ତରଞ୍ଜନ ପଣ୍ଡାଙ୍କୁ ଅଶୋକା ପାର୍କ ଅଡିଟୋରିୟମ୍‌ଠାରେ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଜୁହାର ପରିବାରର ସଭାପତି ମନୋଜ ବେହେରା ଓ ସାଧାରଣ ସମ୍ପାଦକ ନିର୍ମଳ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ୩୦୦ରୁ ଅଧିକ ଲୋକ ଯୋଗଦେଇଥିଲେ। କେବଳ ସମ୍ବଲପୁରୀ ସମାଜର ସଦସ୍ୟମାନେ ନୁହେଁ, ବିଭିନ୍ନ ଭାଷା ଓ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ଚିତ୍ତରଞ୍ଜନ ପଣ୍ଡାଙ୍କ ଦୀର୍ଘଦିନର ସେବା ଓ ସମାଜ ପ୍ରତି ଅବଦାନକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ USS-ର ସଭାପତି ଶ୍ରୀ ନାଏକ ବାବୁ ମଧ୍ୟ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ |ବିଶାଖାପଟ୍ଟଣମରେ ସମ୍ବଲପୁରୀ ଭାଷା, ସଂସ୍କୃତି, ପରମ୍ପରା ଏବଂ ପିନ୍ଧନ-ଉଢନ୍ ପ୍ରଚାର ପ୍ରସାରରେ ଚିତ୍ତରଞ୍ଜନ ପଣ୍ଡାଙ୍କ ଭୂମିକା ଉଲ୍ଲେଖନୀୟ। ଚାକିରିର ବ୍ୟସ୍ତତା ସତ୍ତ୍ୱେ ସେ ଜୁହାର ପରିବାରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସମୟ ଦେଇଆସୁଥିଲେ।

ଅବସର ପରେ ସେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆହୁରି ଅଧିକ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ, ଜୁହାର ପରିବାର ବିଶାଖାପଟ୍ଟନମକୁ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହ ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିବେ। ଜୁହାର ପରିବାରର ସଦସ୍ୟମାନେ ସ୍ନେହ ଓ ସମ୍ମାନର ସହ ଚିତ୍ତରଞ୍ଜନ ପଣ୍ଡାଙ୍କୁ “ସମ୍ବଲପୁରୀଆ ଶେର” ବୋଲି ସମ୍ବୋଧନ କରନ୍ତି। ସେମାନଙ୍କ ମତରେ, ସମ୍ବଲପୁରୀ ଭାଷା ଓ ସଂସ୍କୃତି ପ୍ରତି ତାଙ୍କର ନିଷ୍ଠା, ନେତୃତ୍ୱ ଏବଂ ନିଃସ୍ୱାର୍ଥ ସେବାଭାବ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ।

Leave A Reply

Your email address will not be published.