ବେଲଗୁଣ୍ଠା -୩୧-୦୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ଏକ ଆଇ -୨୦ କାର୍ ଭାରସାମ୍ୟ ହରାଇ ନୂଆଗାଁ ବଡ଼ନଦୀ ପୋଲ ତଳକୁ ଖସିପଡିବା ଫଳରେ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣଙ୍କ ଭଞ୍ଜନଗର ଏଲ ଆଇ ସି କଲୋନୀ ର ସୁନୀଲ ମହାନ୍ତି ବୋଲି ସୂଚନା ମିଳିଛି। ମିଳିଥିବା ବିବରଣୀ ଅନୁଯାୟୀ, ଓଡି ୩୨ ସି ୬୮୬୮ ନମ୍ବର ବିଶିଷ୍ଟ କାରଟି ଭଞ୍ଜନଗର ଆଡକୁ ଆସୁଥିବା ସମୟରେ ନୂଆଗାଁ ବଡ଼ନଦୀ ପୋଲ ଉପରେ ହଠାତ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡ଼ିଥିଲ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଫଳରେ ସୁନୀଲ ମହାନ୍ତି ଗୁରୁତର ଅବସ୍ଥାରେ କାର ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲକୁ ନିଆଯାଉଥିବା ସମୟରେ ହିଁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଗାଡିକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।