ବନ ବିଭାଗ ଓ ପୋଲିସ ମଧ୍ୟରେ ଶ୍ରେୟ ପାଇଁ ଟଣା ଓଟରା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁଷୁରା ଥାନା ଓ ସଦର ଥାନା ପୋଲିସ ପୃଥକ ପୃଥକ ଅଭିଯାନରେ ବହୁ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଉଭୟ ଘଟଣାରେ ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ତୁଷୁରା ଥାନା ପୋଲିସ କୁମ୍ଭାରପଦର ଛକରେ ନାକାବନ୍ଦୀ କରିଥିବା ସମୟରେ ଗୁଡ଼ଭେଲା-କଳାହାଣ୍ଡି ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍-ଅପ୍ ଗାଡ଼ିକୁ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା। ଚାଳକ ଗାଡ଼ିକୁ ଦ୍ରୁତ ଗତିରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ପିଛା କରିବା ପରେ ଗାଡ଼ିଟିକୁ ଛାଡ଼ି ଦୁଇ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଥିଲେ। ଗାଡ଼ି ତଲାସିରେ ୬ କୁଇଣ୍ଟାଲ ୧୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରେ ଗାଡ଼ିର ନମ୍ବର ପ୍ଲେଟ୍ ଓ ପଞ୍ଜୀକରଣ ସୂଚନାରେ ଅସଙ୍ଗତି ଦେଖାଯାଇଛି। ଚେସିସ୍ ନମ୍ବରକୁ ସ୍କ୍ରାଚ୍ କରାଯାଇଥିବା ବେଳେ ଇଞ୍ଜିନ୍ ନମ୍ବର ଆଧାରରେ ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ସେହିପରି ସଦର ଥାନା ଅଞ୍ଚଳର ଫିପଲକାନି ନିକଟରେ ରାସ୍ତା କଡ଼ରେ ଏକ ମହିନ୍ଦ୍ରା ଜାଇଲୋ ଗାଡ଼ି ଓଲଟି ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ୧୬୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଗାଡି ଓଲଟିବା ପରେ ଗଞ୍ଜେଇ ମାଫିଆମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି।
ପୋଲିସ କହିଛି ଯେ ଉଭୟ ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଗାଡ଼ିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ଅଭିଯାନରେ ବନ ବିଭାଗର କୌଣସି ଭୂମିକା ନଥିବା ବେଳେ, ସମ୍ପୂର୍ଣ୍ଣ ଅପରେସନ୍ ପୋଲିସ ପକ୍ଷରୁ କରାଯାଇଥିଲା ବୋଲି ପୋଲିସ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ , ତୁଷୁରା ଥାନା ଅଧିକାରୀ ମନୋଜ କୁମାର ପଧାନ, ସଦର ଥାନା ଅଧିକାରୀ ରାଜକିଶୋର ବିଶ୍ୱାଳ ଉପସ୍ଥିତି ରେ ପ୍ରକାଶ କରିଛନ୍ତି।