ଡକାୟତି ଯୋଜନା ପଣ୍ଡ, ପିସ୍ତଲ ସହ ମାରଣାସ୍ତ୍ର ଜବତ

2


ତିନି କୁଖ୍ୟାତ ଅପରାଧୀ ଗିରଫ, ଅନ୍ୟ ତିନି ଫେରାର

ଝାରସୁଗୁଡ଼ା, ୧୫ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ପୁଲିସ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ଡକାୟତି ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ସହ ଏକାଠି ହୋଇଥିବା ତିନି ଜଣ କୁଖ୍ୟାତ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସମେତ ବିଭିନ୍ନ ମାରଣାସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି।

ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ ସମୟରେ ଏସଓସିପି ପାର୍କିଂ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ କିଛି ଅସ୍ତ୍ରଶସ୍ତ୍ରଧାରୀ ଅପରାଧୀ ଏକାଠି ହୋଇ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ରାମପୁର ଫାଣ୍ଡି ଅଧିକାରୀ ତଥା ଏସଆଇ ସୁଦର୍ଶନ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଦୁଇ ଜଣ ସ୍ୱାଧୀନ ସାକ୍ଷୀଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲା।

ପୁଲିସକୁ ଦେଖି ଅପରାଧୀମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ପିଛା କରି ତିନି ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ତିନି ଜଣ ଏକ ମୋଟରସାଇକେଲ ଯୋଗେ ଫେରାର ହୋଇଯାଇଥିଲେ। ଚଢ଼ଉ ସମୟରେ ପୁଲିସ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଖଣ୍ଡା, ଗୋଟିଏ ବଡ଼ ଛୁରୀ, ଚାରୋଟି ଟର୍ଚ୍ଚ, ଗୋଟିଏ ଦଉଡ଼ି ଏବଂ ଏକ ବୁଲେଟ୍‌ ମୋଟରସାଇକେଲ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାମପୁର ଫାଣ୍ଡି ଅନ୍ତର୍ଗତ କୋଲିଏରି ବିନାସିପଡ଼ାର ଶ୍ୟାମ ସାହିସ (୩୦), ବିହାରୀପଡ଼ାର ଶିବମ ପାଶୱାନ (୨୨) ଏବଂ ଓରିଏଣ୍ଟ ଥାନା ଅନ୍ତର୍ଗତ ଚର୍ଚ୍ଚପଡ଼ା ଗାୟତ୍ରୀନଗରର ସମୀର ରାୟ ଓରଫ୍‌ ଗୋଲଗପ୍ପା (୨୦)। ଗିରଫ ତିନି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ନାମରେ ବେଲପାହାଡ଼, ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ଡକାୟତି ଉଦ୍ୟମ, ହତ୍ୟା ଉଦ୍ୟମ, ମାରପିଟ୍‌ ଏବଂ ଆର୍ମସ୍‌ ଆକ୍ଟ ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି। ଫେରାର ଅନ୍ୟ ତିନି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଜାରି ରହିଥିବା ଏସଡିପିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.