ନୟାଗଡ଼(ବିଶ୍ୱଜିତ ନାୟକ):- ପବିତ୍ର ବଡ଼ ଏକାଦଶୀ ଅବସରରେ ଆଜି ମହାପ୍ରଭୂଙ୍କ ସୁନାବେଶ ରଥାରୂଢ଼ ଅବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ରୀତି ନୀତି ଅନୁସାରେ, ଠାକୁରଙ୍କ ଏକାଦଶୀ ପର୍ବ ପାଳନ ସହ ସଂନ୍ଧ୍ୟାରେ ରଥ ଉପରେ ସୁନାବେଶ ହୋଇଥିଲା । ଜଗନ୍ନାଥ ମନ୍ଦିର ନିକଟରେ ପ୍ରଭୂ ଶ୍ରୀ ବଳଭଦ୍ରଙ୍କ ରଥ ରହିଥିବା ବେଳେ ମା ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ମା ସୁଭଦ୍ରାଙ୍କ ରଥ, ବାଲିସାହି ନିକଟରେ ଶ୍ରୀ ଜଗନ୍ନାଥଙ୍କ ରଥ ଗତକାଲି ବାହୁଡ଼ା ଅବରରେ ଭକ୍ତଙ୍କ ଦ୍ୱାରା ଟଣା ହୋଇ ଅଟକି ରହିଛି । ଆଜି ବଡ଼ ଏକାଦଶୀ ପାଇଁ ରଥଟଣା ବନ୍ଦ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୁନାବେଶ ଅବସରରେ ପୁରୁଣା ସହର ଦାଣ୍ଡ ଭକ୍ତ ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି । ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଶୃଙ୍ଖଳା ବ୍ୟବସ୍ଥା କରାଯାଇଛି । ଦେବୋତ୍ତର ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ସୁନାବେଶ କାର୍ଯ୍ୟ ତଦାରଖ କରିବା ସହ ନୀତିକାନ୍ତ ଉପରେ ଧ୍ୟାନ ଦେଇଛନ୍ତି । ହଜାର ହଜାର ଭକ୍ତ ତିନି ରଥରେ ପ୍ରଭୃଙ୍କୁ ଦର୍ଶନ କରିଛନ୍ତି ।