ପ୍ରକୃତି ସୁରକ୍ଷା , ନିଶାମୁକ୍ତ ଜୀବନ ଓ ଆତ୍ମସମ୍ମାନର ଆହ୍ୱାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ରବିବାର ପାରଳାଖେମୁଣ୍ଡି ସହରରେ ଅମର ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅତ୍ୟନ୍ତ ଭାବଗମ୍ଭୀର ଓ ପ୍ରେରଣାଦାୟୀ ପରିବେଶରେ ସମ୍ପନ୍ନ ହୋଇଯାଇଛି।
ବାଳ-ମୁକୁନ୍ଦ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନସାରା ସହରର ଐତିହ୍ୟସ୍ଥଳୀ ଓ ଛାତ୍ରାବାସଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ନେଇ ସଂସ୍କାର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଦିନର ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଐତିହାସିକ ଗୁପ୍ତ ମନ୍ତ୍ରଣାସ୍ଥଳୀ ଭାବେ ପରିଚିତ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ) ଠାରେ କାର୍ତ୍ତିକ ବ୍ରତ ପୂଜନ ସହ ବାଳ-ମୁକୁନ୍ଦ କେନ୍ଦ୍ରର ପ୍ରାତଃ ସଂସ୍କାର ସଭା ବସିଥିଲା। ତତ୍ପରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସଠାରେ ଆନ୍ତେବାସୀ ବିଦ୍ୟାର୍ଥୀମାନଙ୍କୁ ନେଇ ବିର୍ସା ମୁଣ୍ଡାଙ୍କ ଜୀବନର ତିନୋଟି ମୂଳ ଆଦର୍ଶ ଉପରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଜଙ୍ଗଲ , ନଦୀ ଓ ପର୍ବତକୁ ମାତୃବତ୍ ସ୍ନେହ କରି ପରିବେଶ ପ୍ରଦୂଷଣ ରୋକିବା , ସବୁ ପ୍ରକାର ନିଶା ଓ କୁଅଭ୍ୟାସ ତ୍ୟାଗ କରି ଶୁଦ୍ଧ ଜୀବନଶୈଳୀ ଆପଣାଇବା ଏବଂ ଅନ୍ୟାୟ ବିରୋଧରେ ନିର୍ଭୀକ ହୋଇ ନିଜ ମୌଳିକ ସଂସ୍କୃତିର ସୁରକ୍ଷା କରିବା ପାଇଁ ଛାତ୍ରମାନଙ୍କୁ ସଂକଳ୍ପବଦ୍ଧ କରାଯାଇଥିଲା।
ସେହିପରି ଅପରାହ୍ନ ବେଳା ସ୍ଥାନୀୟ ଅର୍ବାନ ହୋଷ୍ଟେଲ ଛାତ୍ରାବାସରେ ହୋଷ୍ଟେଲ କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗରେ ‘ପ୍ରକୃତି ପ୍ରେମ ଓ ସାହସ’ ବିଷୟବସ୍ତୁ ଉପରେ ଏକ ପ୍ରେରଣାଦାୟୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ବାଳ-ମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେ ମତବ୍ୟକ୍ତ କରିଥିଲେ ଯେ ବିର୍ସା ମୁଣ୍ଡା କେବଳ ବ୍ରିଟିଶ ବିରୋଧୀ ବିପ୍ଳବର ନେତୃତ୍ୱ ନେଇନଥିଲେ, ବରଂ ଜଣେ ଦୂରଦୃଷ୍ଟିସମ୍ପନ୍ନ ସମାଜ ସଂସ୍କାରକ ଭାବେ ‘ବିର୍ସାଇତ୍’ ନାମକ ଏକ ପବିତ୍ର ଆଚାର-ବିଚାର ପରମ୍ପରା ସୃଷ୍ଟି କରିଥିଲେ। ସ୍ୱଚ୍ଛତା , ନିଶା ବର୍ଜନ ଏବଂ ସାତ୍ତ୍ୱିକ ଚରିତ୍ର ଗଠନ ଉପରେ ଆଧାରିତ ଏହି ‘ବିର୍ସାଇତ୍’ ଧାରା ଆଜିର ବାଳ-ମୁକୁନ୍ଦ କେନ୍ଦ୍ରର ମୂଳ ଶିକ୍ଷା ସହିତ ସମ୍ପୂର୍ଣ୍ଣ ଏକାକାର ହୋଇରହିଛି।
ଏହି ଦିବସବ୍ୟାପୀ ଅଭିଯାନରେ ଉଭୟ ଛାତ୍ରାବାସର ପରିଚାଳକ , କାର୍ଯ୍ୟକର୍ତ୍ତା , ବାଳ-ମୁକୁନ୍ଦ କେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।