ବିଜେପୁର, ୧୨ ଜୁଲାଇ:ରାଜନୈତିକ ଉତ୍ସାହ, ବିପୁଳ ଜନସମାଗମ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ବିଜେପୁରରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ବିଜେପୁର ବିଧାୟକ ସନତ କୁମାର ଗଡତୀୟାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ରାଜନୈତିକ ପରିବେଶକୁ ନୂଆ ଉତ୍ସାହରେ ଭରି ଦେଇଥିଲା।ବରଗଡ଼ରେ ଆୟୋଜିତ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପାଟଣାଗଡ଼ରୁ ପଦ୍ମପୁର ଦେଇ ବିଜେପୁରରେ ପହଞ୍ଚିଥିଲେ। ତାଙ୍କ ଆଗମନକୁ ନେଇ ପୂର୍ବରୁ ସହରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ବିଜେପୁର ବସ୍ଷ୍ଟାଣ୍ଡ ପରିସରରେ ବିଜେପୁର ଜମିଦାର ବିଧାୟକ ସନତ କୁମାର ଗଡତୀୟାଙ୍କ ସହ ଶତାଧିକ ବୁଦ୍ଧିଜୀବୀ,ଦଳୀୟ କର୍ମୀ ଓ ସମର୍ଥକ ପୁଷ୍ପଗୁଚ୍ଛ, ଫୁଲମାଳା ଓ ଜୟଧ୍ୱନି ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ।ସ୍ୱାଗତ ସମାରୋହ ପରେ ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ନେତୃବୃନ୍ଦ ଓ ଜନସାଧାରଣଙ୍କ ସହ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଏବଂ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ସହ ଗ୍ରାମସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପରେ ଉପମୁଖ୍ୟମନ୍ତ୍ରୀ ବରଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏସପି ରବୀନ୍ଦ୍ରନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ସହରର ପ୍ରମୁଖ ଛକ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସୁଚାରୁ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସଫଳତାରେ ସମ୍ପନ୍ନ ହୋଇଥିଲା।ବିଜେପୁରର ଏହି ସ୍ୱାଗତ ସମାରୋହ କେବଳ ଏକ ଔପଚାରିକ କାର୍ଯ୍ୟକ୍ରମରେ ସୀମିତ ନ ରହି, ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଆତ୍ମୀୟ ସମ୍ପର୍କ, ସଂଗଠନର ଏକତା ଏବଂ ବିକାଶ ପ୍ରତି ସାମୂହିକ ଅଙ୍ଗୀକାରର ଏକ ସୁନ୍ଦର ପ୍ରତିଛବି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏନଏସି ଇଓ ବିଜ୍ଞ ବିଭୁଦତ୍ତ ସାହୁ, ପୋଲିସ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।