ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ମହାନ ବାର୍ତ୍ତା ନେଇ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପରିସରରେ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଆମ ପୋଲିସ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସୀମିତ ନ ରହି ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ, ସହଯୋଗ ଓ ପାରସ୍ପରିକ ବିଶ୍ୱାସକୁ ଆହୁରି ମଜଭୁତ କରିବାର ଏକ ମାଧ୍ୟମ ପାଲଟିଥିଲା
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସନ୍ଧ୍ୟା ୫ଟା ସମୟରେ ନିଶାମୁକ୍ତ ସମାଜ ଗଠନ ଉପରେ ଏକ ସଚେତନତାମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ନିଶା ସେବନର କୁପରିଣାମ, ଯୁବପିଢ଼ିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଏବଂ ପରିବାର ଓ ସମାଜ ଉପରେ ଏହାର ଭୟାବହ ପରିଣତି ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ପୋଲିସ ସହିତ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଅପରିହାର୍ଯ୍ୟ ବୋଲି ମତପ୍ରକାଶ ପାଇଥିଲା।
ଏହାପରେ ଭାରତର ଲୌହମାନବ ତଥା ଦେଶର ଏକତାର ଅନ୍ୟତମ ମହାନ ବ୍ୟକ୍ତିସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା। ଦେଶର ବିଭିନ୍ନ ଗଡ଼ଜାତ ରାଜ୍ୟକୁ ଏକତ୍ରିତ କରି ଅଖଣ୍ଡ ଭାରତ ଗଠନରେ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା। ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଅଞ୍ଚଳର ଭେଦଭାବ ଭୁଲି ଦେଶର ଏକତା ଓ ସଂହତି ରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଟେଲିଭିଜନ ମାଧ୍ୟମରେ ପ୍ରସାରିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ରାଷ୍ଟ୍ରୀୟ ଏକତା ସମ୍ପର୍କିତ କାର୍ଯ୍ୟକ୍ରମକୁ ଥାନା ପରିସରରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅତିଥିମାନେ ଏକତ୍ର ବସି ଦେଖିଥିଲେ। ଏହି ଅବସରରେ ଜାତୀୟ ଏକତା, ଦେଶପ୍ରେମ ଓ ସାମାଜିକ ସଦ୍ଭାବନାର ମହତ୍ତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରସାର କରାଯାଇଥିଲା।
ଝାରପୋଖରିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମାରୋହରେ ଥାନାର ପୋଲିସ କର୍ମଚାରୀ, ଆମ ପୋଲିସ ସମିତିର ସଦସ୍ୟ, ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ, ସୀମାନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଏକ ସାମୂହିକ ଏକତାର ରୂପ ଦେଇଥିଲା।
ଏହି ଅବସରରେ ଉପସ୍ଥିତ ସମସ୍ତେ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ସହ ନିଜ ନିଜ କ୍ଷେତ୍ରରେ ଶାନ୍ତି, ଶୃଙ୍ଖଳା, ସୁରକ୍ଷା ଓ ସାମାଜିକ ସଦ୍ଭାବନା ବଜାୟ ରଖିବାକୁ ଶପଥ ନେଇଥିଲେ।
ସାଧାରଣତଃ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିବାରେ ଆମ ପୋଲିସ ସମିତି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ଆୟୋଜନ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସହଭାଗିତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା। ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ଏବଂ ଦେଶର ଏକତା ରକ୍ଷାର ଶପଥ ସହ କାର୍ଯ୍ୟକ୍ରମଟି ଜାତୀୟ ସଂହତି ଓ ଭାଇଚାରାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲା।
Sign in
Sign in
Recover your password.
A password will be e-mailed to you.