ବାଲେଶ୍ୱରରେ ଅନୁଷ୍ଠିତ ହେଲା ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ରାଜ୍ୟସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର: ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ରାଜ୍ୟସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ସମିତି ବୈଠକ ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ଉପଦେଷ୍ଟା ଧନଞ୍ଜୟ ହେମ୍ବ୍ରମ, ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ ଜିତେନ୍ଦ୍ର ବେହେରା, ରାଜ୍ୟ ଅତିରିକ୍ତ ପ୍ରମୁଖ ସମ୍ପାଦକ ପୃଥିରାଜ ହାଂସଦା, ରାଜ୍ୟ ସାଧାରଣ ଅର୍ଥ ସମ୍ପାଦକ ଅନିଲ ମଲ୍ଲିକ, ରାଜ୍ୟ ଉପଦେଷ୍ଟା ଧରମ ହାସଁଦା ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିବର୍ଗର ଲୋକ ସାମନା କରୁଥିବା ସମସ୍ୟା ଓ ତାହାର ନିରାକରଣ ଉପରେ ଆଲୋଚନା କରିଥିଲେ । ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିବର୍ଗର କର୍ମଚାରୀଙ୍କ ପ୍ରତି ହୀନ ମାନସିକତା ପ୍ରଦର୍ଶନକୁ ନେଇ ଅତିଥିମାନେ ଉଦବେଗ ପ୍ରକାଶ କରିଥିଲେ । ବିଶେଷ ଭାବେ ଜଳ ସମ୍ପଦ ସହ ପ୍ରାୟ ୩୦ଗୋଟି ବିଭାଗରେ ବରିଷ୍ଠ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କୁ ଅଣଦେଖା କରି ସାଧାରଣ ବର୍ଗର ଜୁନିୟର କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ବିଷୟ ବୋଲି ସେମାନେ କହିଥିଲେ । ଏହି ଜାତିଆଣ ଭାବ ବିଶିଷ୍ଟ ପଦନ୍ନୋତି ବ୍ୟବସ୍ଥା ଉପରେ ପରିଷଦର କର୍ମକର୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିପିନ ମାରାଣ୍ଡି ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କ ପାଇଁ ସୁରକ୍ଷାର ସ୍ୱର ଉତୋଳନ ପୂର୍ବକ ନ୍ୟାୟ ପ୍ରଦାନ କରିବେ ବୋଲି ମତ ରଖିଥିଲେ । ପରିଷଦର ରାଜ୍ୟ କାର୍ଯ୍ୟକାରୀ ସଭାପତି ମୀନକେତନ ମାଝୀ ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକାରିଣୀ ସମିତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କ କର୍ମକ୍ଷେତ୍ର ତଥା ବ୍ୟକ୍ତିଗତ ସମସ୍ୟା, କ୍ୟାଡର ଭିତିକ ସାମୁହିକ ସମସ୍ୟା ଓ ପଦନ୍ନୋତି ସମସ୍ୟା ନିରାକରଣ ପାଇଁ ଓଆରଭି ଆକ୍ଟରେ ଆବଶକୀୟ ସଂଶୋଧନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଏହି ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଜିଲ୍ଲାର ସଭାପତି ଓ ସାଧାରଣ ସମ୍ପାଦକମାନେ ସମ୍ପୃକ୍ତ ବିବରଣୀ ଉପସ୍ଥାପନା କରିଥିଲେ । ରାଜ୍ୟ ସଂଯୋଜକ ମଧୁସୂଦନ ବେହେରା ଓ ବାହାନଗା ବ୍ଲକର ସାଧାରଣ ସମ୍ପାଦକ ଶଶିକାନ୍ତ ମହାଳିକ ମଂଚ ପରିଚାଳନା କରିଥିଲେ । ସମ୍ପାଦକ ଅନନ୍ତ କିଶୋର ମାଝୀ ପରିଷଦର ତୈମାସିକ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଅସିତ କୁମାର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସଭାପତି ପ୍ରସନ୍ନ ଦାସ, କାର୍ଯ୍ୟକାରୀ ସଭାପତି ବୁଦ୍ଧିରାମ ଟୁଡୁ, ସାଧାରଣ ସମ୍ପାଦକ ସୁବ୍ରତ କୁମାର ସିଂ, ସହ ସମ୍ପାଦକ ପ୍ରମୋଦ ରାମ, ସଂସ୍କୃତି ସମ୍ପାଦକ ରାମଚନ୍ଦ୍ର ହାଁସଦା, ଅର୍ଥ ସଂପାଦକ ଭୁତାଇ ଟୁଡୁ, ସାଂଗଠନିକ ସମ୍ପାଦକ ନରୋତମ ସିଂ, ନିଯୁକ୍ତି ସମ୍ପାଦକ ଜନ୍ମେଜୟ କୁମାର ସିଂ ପ୍ରମୁଖ ସମସ୍ତ କାର୍ଯର୍୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।