ବିଜେପୁର: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ଭଳି ଗୁରୁତର ସମସ୍ୟା ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଧାନପଡ଼ାର ‘ଆଦର୍ଶ କ୍ଲବ’ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।କ୍ଲବର ଯୁବ ସଦସ୍ୟମାନେ କୌଣସି ସରକାରୀ ସହାୟତା କିମ୍ବା ବାହ୍ୟ ଆର୍ଥିକ ସହଯୋଗ ନନେଇ ସମ୍ପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ପ୍ରାୟ ୬୦୦ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ ଆଜି ରବିବାର କରିଛନ୍ତି।ଏହି ମହତ୍ କାର୍ଯ୍ୟର ସବୁଠୁ ପ୍ରେରଣାଦାୟକ ଦିଗ ହେଉଛି, କ୍ଲବର ଅନେକ ସଦସ୍ୟ ସ୍କୁଲ ପଢ଼ୁଆ ଛାତ୍ର। କୋମଳ ବୟସରୁ ପରିବେଶ ପ୍ରତି ସଚେତନତା ଦେଖାଇ ସେମାନେ ନିଜ ପକେଟ୍ ଖର୍ଚ୍ଚ ସଞ୍ଚୟ କରି ଗଛ ରୋପଣ କରିଛନ୍ତି। ଏହି ବୃକ୍ଷରୋପଣ ପାଇଁ ସେମାନେ ପ୍ରାୟ ତିନି ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ରବିବାର ଛୁଟି ଦିନକୁ ବାଛି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପନ୍ନ କରିଛନ୍ତି।ସୂଚନା ଅନୁଯାୟୀ, ତାଳପଦର-ଘେଁସ ମୁଖ୍ୟ ରାସ୍ତାର ହାଇସ୍କୁଲ ପଡ଼ିଆଠାରୁ ଆମ୍ବଛକ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି। ଚଳିତ ପର୍ଯ୍ୟାୟରେ ୬୦୦ଟି ଚାରା ଲଗାଯାଇଥିବା ବେଳେ, ଆଗାମୀ ଦିନରେ ଏହି ସଂଖ୍ୟାକୁ ୧୦୦୦ରେ ପହଞ୍ଚାଇବା ପାଇଁ କ୍ଲବ ଲକ୍ଷ୍ୟ ଧାର୍ଯ୍ୟ କରିଛି।
କ୍ଲବ ସଦସ୍ୟମାନଙ୍କ କହିବା ଅନୁଯାୟୀ, ବଢ଼ୁଥିବା ତାପମାତ୍ରା, ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ବୃକ୍ଷରୋପଣ ଏକ ପ୍ରଭାବଶାଳୀ ଉପାୟ।ସେଥିପାଇଁ ପ୍ରତ୍ୟେକ ଲୋକ ବର୍ଷକୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସେମାନେ ଆହ୍ୱାନ କରିଛନ୍ତି।କେବଳ ବୃକ୍ଷରୋପଣରେ ସୀମିତ ନରହି ‘ଆଦର୍ଶ କ୍ଲବ’ ସମାଜସେବା କ୍ଷେତ୍ରରେ ମଧ୍ୟ ନିରନ୍ତର ସକ୍ରିୟ। ସମୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରି ଏହି କ୍ଲବ ସ୍ଥାନୀୟ ଅଞ୍ଚଳରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି।ଆଦର୍ଶ କ୍ଲବର ଏହି ନିଃସ୍ୱାର୍ଥ ଓ ପ୍ରେରଣାଦାୟକ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ, ପରିବେଶପ୍ରେମୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ଏଭଳି ଉଦ୍ୟମ ଅନ୍ୟ ଯୁବଗୋଷ୍ଠୀଙ୍କୁ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.