ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଛୁଆ ଚୋରି

0

ଚିକିତ୍ସାଧିକାରୀ କହିଲେ ” ଆମ କର୍ମଚାରୀଙ୍କ କିଛି ଦୋଷ ନାହିଁ, ପରିବାରଲୋକଙ୍କ ଅସାବଧାନତା ଯୋଗୁ ଘଟିଛି” 

ପାଟଣାଗଡ଼ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ବୁଧବାର ପୂର୍ବାହ୍ନ ୧୧ଟାରେ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) ଗତ କିଛି ଦିନ ହେବ ଚୁଡାପାଲି ନିକଟସ୍ଥ ରେଙ୍ଗାଲି ଗ୍ରାମରେ ରହି ଆସୁଛନ୍ତି। ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେବେଠାରୁ ସେ ଡାକ୍ତରଖାନାରେ ରହିଆସୁଥିଲେ। ବୁଧବାର ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍‌ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିଲେ। ଏହି ସମୟରେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ୧ଶହ ଟଙ୍କା ମୁଁହ ଦେଖା ଦେଇଥିଲେ। ପରେ ଶିଶୁପୁତ୍ରକୁ ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ  ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି।

ଏ ନେଇ ଉପଖଣ୍ଡ ଚିକିତ୍ସା ଅଧୀକ୍ଷକ ଡ. ଦିଲୀପ ବିଶ୍ୱାଲଙ୍କୁ ପଚାରିବାରୁ ସେ କୁହନ୍ତି, ସିସିଟିଭି ସଜାଡିବାକୁ ଅନେକ ଥର ଚେଷ୍ଟା କରାଯାଇଛି। ହେଲେ ହୋଇପାରୁନାହିଁ। ଏଥିରେ ହସ୍‌ପିଟାଲ କର୍ମଚାରୀଙ୍କ କୌଣସି ଦୋଷ ନାହିଁ। ପରିବାରଲୋକଙ୍କ ଅସାବଧାନତା ଯୋଗୁ ଏପରି ଘଟିଥିବା ସେ କହିଛନ୍ତି।

 

Leave A Reply

Your email address will not be published.