ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଚୋରାଚାଲାଣରେ ବ୍ୟବହୃତ ଏକ ଇକୋ ଗାଡ଼ି ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି।
ଆଜି ସକାଳ ପ୍ରାୟ ୮ଟା ୧୦ ମିନିଟ୍ରେ ପାଇକମାଳ ଥାନା ଅଧିକାରୀ ଇନ୍ସପେକ୍ଟର ଏମ୍. ମିଞ୍ଜଙ୍କୁ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା। ଏକ ଇକୋ ଗାଡ଼ିରେ ପୁରେନାରୁ ନୂଆପଡ଼ା ଅଭିମୁଖେ ଗଞ୍ଜେଇ ନିଆଯାଉଥିବା ଖବର ପାଇ ପୁଲିସ ଚେରେଙ୍ଗାଝଞ୍ଜ ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ଉକ୍ତ ଗଞ୍ଜେଇ ମିଳିଥିଲା।

ଏହି ଘଟଣାରେ ପିଣ୍ଟୁ ଶତନାମୀ (୨୧), ହେମତାଜ ଶତନାମୀ (୨୦) ଓ ରିପନ୍ ଶତନାମୀ ଙ୍କୁ ଅଟକ ରଖି ପରବର୍ତ୍ତୀ ସମୟରେ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଅର୍ଜୁନ ବଗର୍ତ୍ତୀ ଫେରାର ହୋଇଯାଇଛି।ଜବତ ସାମଗ୍ରୀ ମଧ୍ୟରେ ଗଞ୍ଜେଇ, ସିଜି ୦୬ ଜିଟି ୯୦୪୪ ନମ୍ବର ବିଶିଷ୍ଟ ଇକୋ ଗାଡ଼ି ଏବଂ ପୋକୋ, ଓପୋ ଓ ଆଇକ୍ୟୁଓଓ ବ୍ରାଣ୍ଡ୍ର ୩ଟି ମୋବାଇଲ ଫୋନ୍ ରହିଛି। ଏନେଇ ପାଇକମାଳ ଥାନାରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ତବ ଶବର ସୂଚନା ଦେଇଛନ୍ତି।