ମହଦାରେ ପ୍ରବଳ ବର୍ଷା ମଧ୍ୟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

51

ଚାଳକଙ୍କୁ ଉଦ୍ଧାର କଲେ ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ ବାହିନୀ

ବରପାଲି :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ନିକଟରେ ପ୍ରବଳ ବର୍ଷା ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ମହଦା ଗ୍ରାମ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅର୍ଣ୍ଣବ ତାଣ୍ଡବ ସଦୃଶ ପ୍ରବଳ ବର୍ଷା ଓ ଖରାପ ପାଗ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣା ଫଳରେ ଜଣେ ଟ୍ରକ୍‌ ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ।ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ନିବାସୀ ବିରୋସନ ସାହୁଙ୍କ ସମେତ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏହାପରେ ବରପାଲି ଥାନା ଆଇଆଇସି ପ୍ରମୋଦ କୁମାର ସାହୁ ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ବରପାଲି ସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା।ଏହି ଘଟଣାରେ କାହାରି ମୃତ୍ୟୁ ନ ହେବାକୁ ଲୋକେ ଈଶ୍ୱରଙ୍କ କୃପା ବୋଲି କହିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ ବାହିନୀର ତତ୍ପରତାକୁ ପ୍ରଶଂସା କରିଛନ୍ତି। ପ୍ରବଳ ବର୍ଷା ସମୟରେ ଜାତୀୟ ରାଜପଥରେ ଯାତାୟାତ କରିବା ବେଳେ ଚାଳକମାନେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.