ବାତ୍ୟା ‘ଅର୍ଣ୍ଣବ’ ପରେ ଦକ୍ଷିଣ ଓଡ଼ିଶାର ୧୭.୨୩ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ସ୍ୱାଭାବିକ କଲା ଟିପିଏସ୍‌ଓଡିଏଲ୍‌

10

  • ୮ଟି ଜିଲ୍ଲାରେ ୯୬.୩୨% ବିଦ୍ୟୁତ ସେବା ସ୍ୱାଭାବିକ
  • ସମସ୍ତ ୧୩୦ଟି ପ୍ରଭାବିତ ପ୍ରାଥମିକ ସବ୍‌ଷ୍ଟେସନ୍‌ ପୁନଃ କାର୍ଯ୍ୟକ୍ଷମ
  • ମାଲକାନଗିରି, ବୌଦ୍ଧ ଓ ରାୟଗଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ସେବା ପୁନରୁଦ୍ଧାର
  • ବନ୍ୟା ଓ ଜଳବନ୍ଦୀ ସତ୍ତ୍ୱେ ଗଞ୍ଜାମରେ ୯୩%ରେ ବିଜୁଳି ସେବା ସ୍ୱାଭାବିକ

ବ୍ରହ୍ମପୁର, ଅକ୍ଟୋବର ୩୧: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାର ମୁକାବିଲା କରି ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ପୁନରୁଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌)। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପିଏସ୍‌ଓଡିଏଲ୍‌ ଏହାର ୮ଟି କାର୍ଯ୍ୟକ୍ଷେତ୍ର ଜିଲ୍ଲାରେ ପ୍ରଭାବିତ ୧୭ ଲକ୍ଷ ୮୮ ହଜାର ୯୪୨ ଗ୍ରାହକଙ୍କ ମଧ୍ୟରୁ ୧୭ ଲକ୍ଷ ୨୩ ହଜାର ୧୮୫ ଗ୍ରାହକଙ୍କ ପ୍ରଭାବିତ ବିଦ୍ୟୁତ ସେବା ପୁନର୍ବାହାଲ। ଏଥିସହ ମୋଟ୍‌ ୯୬.୩୨ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଛି।

ବାତ୍ୟା ଯୋଗୁଁ ପ୍ରବଳ ପବନରେ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ତାର ଛିଡ଼ି ଯାଇଥିଲା। ଏହାପରେ ଭୀଷଣ ବର୍ଷା, ନଦୀରେ ବନ୍ୟା ଓ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଜଟିଳ କରିଥିଲା। ଏଭଳି ପରିସ୍ଥିତିରେ ଟିପିଏସ୍‌ଓଡିଏଲ୍‌ର ସମନ୍ୱିତ ପଦକ୍ଷେପ ଯୋଗୁଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

ଟିପିଏସ୍ଓଡିଏଲ୍ ସମସ୍ତ ୧୩୦ଟି ପ୍ରଭାବିତ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନ୍‌କୁ ପୁନଃ କାର୍ଯ୍ୟକ୍ଷମ କରିଛି। ସେହିପରି ପ୍ରଭାବିତ ୪୬ଟି ୩୩ କେଭି ଫିଡର୍‌ ମଧ୍ୟରୁ ୪୫ଟି ଏବଂ ୬୫୮ଟି ପ୍ରଭାବିତ ୧୧ କେଭି ଫିଡର୍‌ ମଧ୍ୟରୁ ୬୫୧ଟି ପୁନରୁଦ୍ଧାର ହୋଇଛି। ଏହାବ୍ୟତୀତ ୨୭୮ଟି ପ୍ରଭାବିତ ପାୱାର ଟ୍ରାନ୍ସଫର୍ମର୍‌ (ପିଟିଆର୍‌) ମଧ୍ୟରୁ ୨୭୭ଟି ଏବଂ ୫୬ ହଜାର ୭୦୬ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ (ଡିଟିଆର୍‌) ମଧ୍ୟରୁ ୫୫ ହଜାର ୨୬୫ଟିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।

୧୭ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ସେବା ଫେରାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୬୫ ହଜାର ୭୫୭ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇବା ପାଇଁ ଟିପିଏସ୍‌ଓଡିଏଲ୍‌ର ଟିମ୍‌ଗୁଡ଼ିକ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଯେଉଁ ସ୍ଥାନଗୁଡ଼ିକରେ ପହଞ୍ଚିବା ଏବଂ ମରାମତି କାର୍ଯ୍ୟ କରିବା କଷ୍ଟକର ହେଉଛି, ସେଠାରେ ବିଶେଷ ପ୍ରାଥମିକତା ଦିଆଯାଉଛି।

ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ଗଞ୍ଜାମରେ ଉଲ୍ଲେଖନୀୟ ଅଗ୍ରଗତି

ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ନଦୀରେ ବନ୍ୟା ଓ ବ୍ୟାପକ ଜଳବନ୍ଦୀ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତଥାପି ଟିପିଏସ୍‌ଓଡିଏଲ୍‌ ଜିଲ୍ଲାର ୮ ଲକ୍ଷ ୨୯ ହଜାର ୨୯୨ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୭ ଲକ୍ଷ ୭୩ ହଜାର ୧୨୯ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେଇଛି। ଏହା ମୋଟ୍‌ ୯୩.୨୩ ପ୍ରତିଶତ ପୁନରୁଦ୍ଧାର।

ଜିଲ୍ଲାର ୨୪ଟି ପ୍ରଭାବିତ ୩୩ କେଭି ଫିଡର୍‌ ମଧ୍ୟରୁ ୨୩ଟି, ସମସ୍ତ ୫୨ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୧୧୬ଟି ପାୱାର ଟ୍ରାନ୍ସଫର୍ମର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ଏହାସହ ୧୬ ହଜାର ୮୦ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୧୪ ହଜାର ୯୯୪ଟି ପୁନରୁଦ୍ଧାର ହୋଇଛି। ଆସିକା, ଧରାକୋଟ, ଶେରଗଡ଼, ଭଞ୍ଜନଗର, ସୋରଡ଼ା, ବେଲଗୁଣ୍ଠା ଓ ପୁରୁଷୋତ୍ତମପୁର ଭଳି ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ଯୋଗୁଁ କ୍ଷେତ୍ରସ୍ତରରେ କାର୍ଯ୍ୟ ଆହ୍ୱାନପୂର୍ଣ୍ଣ ହୋଇଥିବାରୁ ଏଠାରେ ପୁନରୁଦ୍ଧାର ଟିମ୍‌ଗୁଡ଼ିକ ନିୟୋଜିତ ରହିଛନ୍ତି।

ଅନ୍ୟ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ପୁନରୁଦ୍ଧାର

ଗଜପତି ଜିଲ୍ଲାରେ ୧ ଲକ୍ଷ ୫୪ ହଜାର ୩୩୭ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୩୧୦ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏଠାରେ ପୁନରୁଦ୍ଧାର ହାର ୯୬.୦୯ ପ୍ରତିଶତ। ସମସ୍ତ ୪ଟି ପ୍ରଭାବିତ ୩୩ କେଭି ଫିଡର୍‌, ୨୦ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୭୧ଟି ୧୧ କେଭି ଫିଡର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ସେହିପରି ୪୦ଟି ପାୱାର ଟ୍ରାନ୍ସଫର୍ମର୍‌ ଏବଂ ୫ ହଜାର ୧୭ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୪ ହଜାର ୮୨୧ଟି ପୁନରୁଦ୍ଧାର ହୋଇଛି।

କନ୍ଧମାଳ ଜିଲ୍ଲାରେ ୧ ଲକ୍ଷ ୪୮ ହଜାର ୩୪୭ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୪୯ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏଠାରେ ପୁନରୁଦ୍ଧାର ହାର ୯୯.୧୩ ପ୍ରତିଶତ। ସମସ୍ତ ୮ଟି ପ୍ରଭାବିତ ୩୩ କେଭି ଫିଡର୍‌, ୧୫ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୭୮ଟି ୧୧ କେଭି ଫିଡର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ୩୨ଟି ପ୍ରଭାବିତ ପାୱାର ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୩୧ଟି ଏବଂ ୭ ହଜାର ୮୩୬ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୭ ହଜାର ୭୬୭ଟି ପୁନରୁଦ୍ଧାର କରାଯାଇଛି।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, ବୌଦ୍ଧ ଓ ରାୟଗଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଛି। ଏହି ତିନି ଜିଲ୍ଲାର ସମସ୍ତ ୫୩ ହଜାର ୧୭୯, ୮୬ ହଜାର ୩୮୩ ଏବଂ ୧ ଲକ୍ଷ ୧୫ ହଜାର ୫୦୩ ପ୍ରଭାବିତ ଉପଭୋକ୍ତାଙ୍କୁ ସ୍ୱାଭାବିକ ବିଦ୍ୟୁତ ସେବା ମିଳିଛି। ନବରଙ୍ଗପୁରରେ ୯୯.୬୫ ପ୍ରତିଶତ ଏବଂ କୋରାପୁଟରେ ୯୯.୨୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଛି।

ସମନ୍ୱିତ ପଦକ୍ଷେପ ଓ ନିରନ୍ତର ପୁନରୁଦ୍ଧାର କାର୍ଯ୍ୟ

ଏହି ପୁନରୁଦ୍ଧାର ଅଭିଯାନରେ ଟିପିଏସ୍‌ଓଡିଏଲ୍‌ର ଆଗଧାଡ଼ିର କର୍ମଚାରୀ, ଇଞ୍ଜିନିୟର, ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକ ସମନ୍ୱିତ ଭାବେ କାର୍ଯ୍ୟ କରିଛନ୍ତି। କମ୍ପାନୀର କଣ୍ଟ୍ରୋଲ୍‌ ସେଣ୍ଟର୍‌ଗୁଡ଼ିକ କ୍ଷେତ୍ରସ୍ତରୀୟ ଟିମ୍‌ ସହ ନିରନ୍ତର ସମ୍ପର୍କ ରଖି କ୍ଷୟକ୍ଷତିର ଆକଳନ, ଆବଶ୍ୟକ ସମ୍ବଳ ନିୟୋଜନ, ମରାମତି ଟିମ୍‌ ମୁତୟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଉପରେ ନଜର ରଖିଛନ୍ତି।

ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି, “ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ୧୭ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ସେବା ଫେରାଇବା ସହ ୯୬ ପ୍ରତିଶତରୁ ଅଧିକ ପୁନରୁଦ୍ଧାର ହାସଲ କରିବା ଆମର ବାତ୍ୟା ପରବର୍ତ୍ତୀ ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଏହା ଆମ ଆଗଧାଡ଼ିର କର୍ମଚାରୀଙ୍କ ଅସାଧାରଣ ନିଷ୍ଠା, ସାହସ ଓ ସମର୍ପଣର ପ୍ରତିଫଳନ। ପ୍ରବଳ ବର୍ଷା, ବନ୍ୟା ଓ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ନିରନ୍ତର କାର୍ଯ୍ୟ କରିଥିବା ପ୍ରତ୍ୟେକ କର୍ମଚାରୀ, ଇଞ୍ଜିନିୟର ଓ ଅଧିକାରୀଙ୍କୁ ମୁଁ ହୃଦୟରୁ ପ୍ରଶଂସା କରୁଛି।

“ଯଦିଓ ଆମେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ପୁନରୁଦ୍ଧାର କରିପାରିଛୁ, ତଥାପି ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଓ ଅନୁକୂଳ ନଥିବା ସ୍ଥଳ ପରିସ୍ଥିତି ଯୋଗୁଁ ଚ୍ୟାଲେଞ୍ଜ ରହିଛି। ଏହା ଫଳରେ କେତେକ ସ୍ଥାନରେ ପହଞ୍ଚିବା ଓ ମରାମତି କାର୍ଯ୍ୟ କରିବା କଷ୍ଟକର ହେଉଛି। ଏହି ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଆମ ଟିମ୍‌ଗୁଡ଼ିକ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛନ୍ତି। ଯେଉଁଠାରେ ଆବଶ୍ୟକ, ଅତିରିକ୍ତ ସମ୍ବଳ ନିୟୋଜିତ କରାଯାଉଛି ଏବଂ ଅବଶିଷ୍ଟ ଅଞ୍ଚଳରେ ପୁନରୁଦ୍ଧାରକୁ ପ୍ରାଧାନ୍ୟ ଦିଆଯାଉଛି। ଉପଭୋକ୍ତା ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ସମୟରେ ଧୈର୍ଯ୍ୟ, ଆସ୍ଥା ଓ ସହଯୋଗ ପାଇଁ ଦକ୍ଷିଣ ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”

ଟିପିଏସ୍‌ଓଡିଏଲ୍‌ ଅବଶିଷ୍ଟ ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଦେଉଛି। ପ୍ରଭାବିତ ସ୍ଥାନଗୁଡ଼ିକରେ ପହଞ୍ଚିବା ଓ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ସମ୍ପୃକ୍ତ କ୍ଷେତ୍ରସ୍ତରୀୟ ଟିମ୍‌ ସହ ସମନ୍ୱୟ ରଖାଯାଉଛି।

ଏଥିସହ ଉପଭୋକ୍ତାମାନଙ୍କୁ ଛିଡ଼ି ପଡ଼ିଥିବା ବିଦ୍ୟୁତ ତାର, କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ, ପାଣିରେ ବୁଡ଼ି ରହିଥିବା ବିଦ୍ୟୁତ ସଂସ୍ଥାପନ ଓ ଅନ୍ୟ ବିପଜ୍ଜନକ ବିଦ୍ୟୁତ ଉପକରଣଠାରୁ ଦୂରେଇ ରହିବାକୁ ଟିପିଏସ୍‌ଓଡିଏଲ୍‌ ପରାମର୍ଶ ଦେଇଛି। ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ବିପଦ କିମ୍ବା ବିଦ୍ୟୁତ ଯୋଗାଣ ସମସ୍ୟା ସମ୍ପର୍କରେ କମ୍ପାନୀର ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବର ୧୮୦୦୨୦୨୬ ଏବଂ ୧୯୧୨ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ପାଇଁ ଟିପିଏସ୍‌ଓଡିଏଲ୍‌ ନିଜର ପ୍ରତିବଦ୍ଧତା ଦୋହରାଇଛି।

Leave A Reply

Your email address will not be published.