ବିପର୍ଯ୍ୟୟରେ ଲୋକଙ୍କ ପାଖରେ ପ୍ରଶାସନ: ୧୫ କି.ମି. ପାହାଡ଼ିଆ ରାସ୍ତା ଅତିକ୍ରମ କରି ବିଚ୍ଛିନ୍ନ ଗ୍ରାମରେ ପହଞ୍ଚିଲା ପ୍ରଶାସନ

9

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ନିକଟରେ ତ୍ୱରିତ ସହାୟତା ପହଞ୍ଚାଇବା ସହ ଜନଜୀବନକୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ଭୂସ୍ଖଳନ ପ୍ରଭାବିତ ଓ ବିଚ୍ଛିନ୍ନ ଗ୍ରାମଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟଜଳ ଯୋଗାଣ ଓ ଜଳଉତ୍ସ ବିଶୋଧନ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ଗ୍ରାମ ପଞ୍ଚାୟତର କୁମ୍ଭାରଖାଡ଼ି ଘାଟିରେ ଭୂସ୍ଖଳନ ଯୋଗୁଁ ଅଞ୍ଚଳର କେତେକ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବାଲିଗୁଡ଼ା ଉପଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ଦଳ ସକାଳ ୬ଟା ୩୦ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ତହସିଲଦାର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ତାଙ୍କ ଟିମ୍, ଓଡ୍ରାଫ୍, ଡାକ୍ତରୀ ଏବଂ ପୋଲିସ ଦଳକୁ ନେଇ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଏକାଧିକ ଭୂସ୍ଖଳନ ସ୍ଥାନ, ବିପଦସଙ୍କୁଳ ପାହାଡ଼ିଆ ରାସ୍ତା ଓ ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଉଦ୍ଧାରକାରୀ ଦଳ ପ୍ରାୟ ୧୫ କିଲୋମିଟର ପାଦରେ ଚାଲି ବିଚ୍ଛିନ୍ନ ହୋଇଥିବା ୫ଟି ଗ୍ରାମ ଦେଇ ଶେଷ ଗ୍ରାମ ଡାଙ୍ଗେସୁରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କ ଅବସ୍ଥା ଅନୁଧ୍ୟାନ କରି ଖାଦ୍ୟ, ଔଷଧ ଓ ପାନୀୟଜଳ ବଣ୍ଟନ କରାଯାଇଥିଲା। ଡାଙ୍ଗେସୁ ଗ୍ରାମରେ ଫସି ରହିଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିଲା। ଏହି ସମୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିଜ ଟିମ୍ ସହ ଶେଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ନଳକୂପ, ପରିମଳ କୂପ ଓ ସୌରଚାଳିତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ପାନୀୟଜଳ ବୋତଲ ଓ ବ୍ଲିଚିଂ ପାଉଡର ବଣ୍ଟନ, ଜଳଉତ୍ସ ବିଶୋଧନ ଏବଂ କ୍ଷତିଗ୍ରସ୍ତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯାଇଥିଲା। ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ପିପିଲିପଙ୍ଗା ଓ ବଡ଼ମାହା ଅଞ୍ଚଳରେ ଜଳମଗ୍ନ ହୋଇଥିବା ଚାଷଜମିର ସ୍ଥିତି ମାନ୍ୟବର ମନ୍ତ୍ରୀ ନିଜେ ଅନୁଧ୍ୟାନ କରିଥିଲେ। ରାଇକିଆ ବ୍ଲକର ମାଣିକେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଅଞ୍ଚଳ ପରିଦର୍ଶନ କରି ସେ କ୍ଷୟକ୍ଷତିର ଆକଳନ ଓ ସ୍ଥିତିର ସମୀକ୍ଷା କରିଥିଲେ।
ସେହିପରି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳଉତ୍ସଗୁଡ଼ିକର ବିଶୋଧନ କରାଯାଉଛି। ଜଳବାହିତ ରୋଗର ଆଶଙ୍କା ଦୂର କରିବା ସହ ଲୋକଙ୍କୁ ନିରାପଦ ଓ ପରିଷ୍କାର ପାନୀୟଜଳ ଉପଲବ୍ଧ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଦୁର୍ଗମ ଅଞ୍ଚଳରେ ଉଦ୍ଧାରକାରୀ ଦଳର ପହଞ୍ଚଠାରୁ ଆରମ୍ଭ କରି ବିଚ୍ଛିନ୍ନ ଗ୍ରାମରେ ରିଲିଫ୍ ସାମଗ୍ରୀ ବଣ୍ଟନ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳର ନିରାପତ୍ତା ସୁନିଶ୍ଚିତ କରିବା ପର୍ଯ୍ୟନ୍ତ, ବିଭାଗୀୟ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ଉଦ୍ୟମ ବିପର୍ଯ୍ୟୟ ପରିଚାଳନାରେ ତତ୍ପରତା ଓ ଲୋକକୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।

Leave A Reply

Your email address will not be published.